ପୁରୀ: ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଶ୍ରୀମନ୍ଦିର ସିଂହଦ୍ଵାର ସମେତ ପଶ୍ଚିମ ଦ୍ଵାର ଦେଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଭକ୍ତ । ଅନେକ ଦିନ ପରେ ଏହି ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ଆରମ୍ଭ ହୋଇଛି । ଏ ନିଷ୍ପତ୍ତିକୁ ଭକ୍ତ ମହଲରେ ସ୍ୱାଗତ କରାଯାଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପଶ୍ଚିମ ଦ୍ୱାର ଖୋଲାଯାଇଛି ।
ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଏବଂ ଚନ୍ଦନଯାତ୍ରାରେ ଠାକୁରଙ୍କ ବିମାନ ବଡ଼ ଦାଣ୍ଡରେ ଯିବା ପାଇଁ ବଡ଼ଦାଣ୍ଡରେ ଥିବା ଅସ୍ଥାୟୀ ବ୍ୟାରିକେଡ ଖୋଲାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦେଖାଯାଇ ପଶ୍ଚିମ ଦ୍ୱାର ପଟେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ନେଇ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁବିଧା ପାଇଁ କପଡା ସେଡ, ପାନୀୟ ଜଳ ବ୍ୟବସ୍ଥା, ଜୋତା ଷ୍ଟାଣ୍ଡର ବ୍ୟବସ୍ଥା ହୋଇଛି । ଆଜିର ଦର୍ଶନ ବ୍ୟବସ୍ଥା ସମୀକ୍ଷା ପରେ ଆଉ କିଛି ପଦକ୍ଷେପ ଭକ୍ତଙ୍କ ସୁବିଧା ପାଇଁ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଭକ୍ତ ଓ ସେବାୟତ ମାନେ ସ୍ବାଗତ କରିଛନ୍ତି ।