ପୁରୀ: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ର ଆଉ ନାହାନ୍ତି । ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି । ଏହାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅନନ୍ୟ ପ୍ରତିଭା ଓ ଓଡିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ସ୍ଥାନିତ କରିବା ନେଇ ଯେଉଁ ପ୍ରୟାସ ଜାରି ରହିଥିଲା ତାହାକୁ ସମସ୍ତେ ମନେ ପକାଉଛନ୍ତି ।
୨୩ ମାର୍ଚ୍ଚ ୧୯୪୩ରେ ପୁରୀରେ ଜନ୍ମଲାଭ କରିଥିବା ରଘୁନାଥ ମହାପାତ୍ରଙ୍କ କଳାକୃତି କେବଳ ଯେ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ଆଦୃତି ଲାଭ କରିଛି । ରଘୁନାଥଙ୍କ ଏହି କଳା କୃତି ପାଇଁ ଭାରତ ସରକାର ତାଙ୍କୁ ପ୍ରଥମେ ପଦ୍ମଶ୍ରୀ,ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନୀତ କରିଥିଲେ । ୨୦୧୮ରେ ବିଜେପି ପକ୍ଷରୁ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ରାଜ୍ୟରେ ୨ୟ କୋଣାର୍କ ଗଠନ କରିବା ତାଙ୍କର ସ୍ୱପ୍ନ ଥିଲା, ଯାହା ଆଜି ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଯାଇଛି ।