ପୁରୀ: ଆଜି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକୀ ନୀତି ଆରମ୍ଭ । ଏଥିସହ ମହାପ୍ରଭୁଙ୍କ ସ୍ବତନ୍ତ୍ର ରାଧା ଦାମୋଦର ବେଶ ମଧ୍ୟ ଆରମ୍ଭ ହୋଇଛି । ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ନାମ ଏପରି ନାମକରଣ କରାଯାଇଛି ।
ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହୋଇଥାଏ । ଏହା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ଠାକୁରମାନେ ଏହି ବେଶରେ ବାଳଭୋଗ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳଭୋଗ ହୋଇଥାଏ । ବାଳଭୋଗ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ୍ତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ ।