ପୁରୀ: ଆଜି ପଞ୍ଚୁକର ଦ୍ବିତୀୟ ଦିନ ବା ଶୁକ୍ଳ ଦ୍ୱାଦଶୀ । ଶ୍ରୀମନ୍ଦିରରେ ବାଙ୍କଚୂଡ ବେଶରେ ଦର୍ଶନ ଦେବେ ମହାବାହୁ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ ବେଶ ଅନ୍ୟତମ। ଏନେଇ ମହାପ୍ରଭୁଙ୍କ ଏହି ବେଶ ଆଜି ଅନୁଷ୍ଠିତ ହେବ । ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ ବେଶରେ ସଜ୍ଜିତ କରିବେ । ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସୃତିକୁ ଉଜ୍ଜୀବିତ କରିବା ପାଇଁ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି ।
ପଞ୍ଚୁକ ନୀତି: ଆଜି ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ, କପାଳରେ ଶୋଭା ପାଇବ ସ୍ବର୍ଣ୍ଣ କୀରିଟ
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେବେ ମହାବାହୁ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ ବେଶ ଅନ୍ୟତମ। ଅଧିକ ପଢନ୍ତୁ
ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏ ନାହିଁ । ମାତ୍ର ତାଙ୍କର ମସ୍ତକ ସୁବର୍ଣ୍ଣ କିଆରେ ଶୋଭିତ ହୁଏ । ଭୋଗ ମଣ୍ଡପ ଶେଷ ହେବାପରେ ଠାକୁରମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ ନିମିତ୍ତ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣ ମେଳା ଦର୍ଶନ ହେଇଥାଏ। ତେବେ ଗତକାଲି ଶ୍ରୀମନ୍ଦିର sop ଅନୁଯାୟୀ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଛି । ମହାପ୍ରଭୁଙ୍କ ଏହି ବେଶକୁ ମଧ୍ୟ ଆଜି ଦର୍ଶନ କରିପାରିବେ ଭକ୍ତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ