ପୁରୀ: ନୀଳାଚଳ ଧାମରେ ସଦା ସର୍ବଦା ଭକ୍ତଙ୍କ ପାଇଁ ଭୁଜ ମେଲାଇ ବିରାଜମାନ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଉଚ୍ଚ, ନୀଚ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ନିଜ ଆଶିଷ ତଥା କୃପା ପ୍ରଦାନ କରନ୍ତି ଭକ୍ତ ବତ୍ସଳ ଜଗତ ଠାକୁର । ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି ତାକୁ ସେ କୋଳେଇ ନିଅନ୍ତି। ଏଥିପାଇଁ ତ ମହାପ୍ରଭୁଙ୍କ ସହ ଅନେକ ଭକ୍ତଙ୍କ ଗାଥା ଜନମାନସରେ ଚର୍ଚ୍ଚିତ। ଦାସିଆ ବାଉରି, ସାଲବେଗ, ବଳରାମ ଦାସ କି ବନ୍ଧୁ ମହାନ୍ତି ସମସ୍ତେ ମହାପ୍ରଭୁଙ୍କ ପରମ ଭକ୍ତ ଭାବରେ ବର୍ଣ୍ଣିତ ଓ ଚର୍ଚ୍ଚିତ।
ଭକ୍ତ ସାଲବେଗ
ମହାପ୍ରଭୁଙ୍କ ପ୍ରମୁଖ ଭକ୍ତ ମଧ୍ୟରେ ଜଣେ ହେଉଛିନ୍ତି ଭକ୍ତ ସାଲବେଗ। ଭକ୍ତ ସାଲବେଗ ମୁସଲମାନ ବା ଯବନ ଥିଲେ ମଧ୍ୟ ତାଙ୍କ ଚିତ୍ତ ସଦା ସର୍ବଦା ଜଗନ୍ନାଥଙ୍କ ଭକ୍ତିରେ ଲୀନ ରହୁଥିଲା । ଏକଦା ଏକ ଯୁଦ୍ଧରେ ଭକ୍ତ ସାଲବେଗ କ୍ଷତାକ୍ତ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତେ ତାଙ୍କ କ୍ଷତ ଭଲ ହୋଇ ଯାଇଥିଲା। ମହାପ୍ରଭୁଙ୍କ ଭକ୍ତ ହୋଇଥିବା ସତ୍ତ୍ବେ ସାଲବେଗଙ୍କ ମନ୍ଦିର ପ୍ରବେଶ ଉପରେ ଲାଗିଥିଲା କଟକଣା । ତେଣୁ ମହାପ୍ରଭୁଙ୍କ ଦର୍ଶନର ଏକମାତ୍ର ପନ୍ଥା ଥିଲା ରଥଯାତ୍ରା । ତେଣୁ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ସୁଦୂର ବୃନ୍ଦାବନରୁ ଶ୍ରୀକ୍ଷେତ୍ର ଅଭିମୂଖେ ବାହାରିଲେ ସାଲବେଗ । କିନ୍ତୁ ଠିକ୍ ସମୟରେ ପୁରୀ ପହଁଞ୍ଚି ନପାରି ଅଧା ବାଟରେ ଭଗବାନଙ୍କୁ ଆବେଗଭରା କଣ୍ଠରେ ରଥ ରଖିବାକୁ ପ୍ରାର୍ଥନା କରିଥିଲେ। ତାଙ୍କ ପ୍ରାର୍ଥନାରେ ମହାପ୍ରଭୁ ଏତେ ପ୍ରୀତ ହୋଇ ସେ ଆସିବା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଅଟକି ରହିଥିଲା ନନ୍ଦିଘୋଷ ରଥ । ସେ ମହାପ୍ରଭୁଙ୍କୁ ନେଇ ଅନେକ ଭଜନ ଓ ଜଣାଣ ଲେଖିଛନ୍ତି । ସାଲବେଗଙ୍କ ବାପା ଥିଲେ ଲାଲବେଗ । ସେ ତତ୍କାଳୀନ ମୋଗଲ ରାଜାଙ୍କ ସୁବେଦାର ଥିଲେ। ସେ ପୁରୀର ଦାଣ୍ଡ ମୁକୁନ୍ଦ ପୁରରେ ଯାଉଥିବା ବେଳେ ଥରେ ଜଣେ ସ୍ନାନ କରୁଥିବା ବିଧବା ବ୍ରାହ୍ମଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ବିବାହ କରିଥିଲେ। ଲାଲବେଗଙ୍କର ଏକମାତ୍ର ପୁତ୍ର ଥିଲେ ସାଲବେଗ । ଏଣୁ ମା ଜଗନ୍ନାଥଙ୍କ ଭକ୍ତ ହୋଇଥିବା ହେତୁ ସାଲବେଗ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଉପରେ ବିଶ୍ବାସ କରୁଥିଲେ। ପ୍ରଭୁଙ୍କ ପରମ ଭକ୍ତ ସାଲବେଗଙ୍କ ମୃତ୍ୟୁ ପରେ ତତ୍କାଳୀନ ଗଜପତି ରାଜାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ ଦାଣ୍ଡର ବଳଗଣ୍ଡି ଛକରେ ତାଙ୍କର ସମାଧି ଦିଆଯାଇ ଥିଲା। ଯାହାକି ଏବେ ଭକ୍ତ ସାଲବେଗଙ୍କ ମନ୍ଦିର ଭାବେ ପରିଚିତ।
ଦାସିଆ ବାଉରୀ
ଜଗନ୍ନାଥଙ୍କ ଆଉ ଜଣେ ଅନନ୍ୟ ଭକ୍ତ ହେଉଛନ୍ତି ପୁରୀ ପିପିଲି ଅଞ୍ଚଳ ବାଲିଗାଁର ବାସିନ୍ଦା ଦାସିଆ ବାଉରୀ। ଦାସିଆ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ଥିଲେ। ଥରେ ଦାସିଆ ନିଜ ବାଡ଼ିରୁ ଆଣିଥିବା ନଡ଼ିଆ ଆଣି ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ପଣ୍ଡା ମାନଙ୍କୁ ଦେଇଥିଲେ। କହିଥିଲେ ମହାପ୍ରଭୁଙ୍କୁ ଜଣାଇବା ବାଲିଗାଁ ଦାସିଆ ଏହି ନଡ଼ିଆ ପଠାଇଛି। ଯଦି ମହାପ୍ରଭୁ ହାତ ବଢ଼ାଇ ନଡ଼ିଆ ନିଜେ ନିଅନ୍ତି ତାହା ହେଲେ ମହାପ୍ରଭୁଙ୍କୁ ନଡ଼ିଆ ଅର୍ପଣ କରିବ। ନ ହେଲେ ଫେରାଇ ଆଣିବ। ସବୁଠୁ ଆଶ୍ଚର୍ଯ୍ୟର ଘଟଣା ଘଟିଲା ଯେତେବେଳେ ପଣ୍ଡା ଜଣକ ଆଖି ବୁଜି ନଡ଼ିଆ ବଢ଼େଇଲେ ତାହା ଉଭାନ ହୋଇଗଲା। ପରେ ଦାସିଆର ଭକ୍ତି ନେଇ ଧନ୍ୟ ଧନ୍ୟ କହିଥିଲେ ସମସ୍ତେ । ଦାସିଆ ନଡ଼ିଆ ନେବା ପ୍ରମାଣିତ କରିଚି ମହାପ୍ରଭୁଙ୍କ ଆଗରେ କୌଣସି ଉଚ୍ଚ ନୀଚ ଭେଦବାବ ନାହିଁ। ମହାପ୍ରଭୁଙ୍କ ପାଇଁ ତାଙ୍କ ଭକ୍ତ ସବୁଠୁ ବଡ଼।
ବଳରାମ ଦାସ