ପୁରୀ: ଶ୍ରୀମନ୍ଦିରର ରୂପା କବାଟ ଡିଜାଇନକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ କରାଯିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଆଜି(ସୋମବାର) ଏହାକୁ ନେଇ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ମଧ୍ୟ ଡିଜାଇନକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ।
ଶ୍ରୀମନ୍ଦିର ରୁପା କବାଟ ଡିଜାଇନ ନେଇ ତ୍ବିତୀୟ ବୈଠକ ଅନୁଷ୍ଠିତ, ଚୂଡ଼ାନ୍ତ ହେଲାନି ଡିଜାଇନ ନଭେମ୍ବର 19 ତାରିଖରେ ରୂପା କବାଟ ଡିଜାଇନକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆସନ୍ତା କାଲି(ମଙ୍ଗଳବାର) ଶ୍ରୀମନ୍ଦିରର ୧୭ ଜଣିଆ ତତ୍ତ୍ବବାଧାରକ ଦଳ ଶିଳ୍ପୀ ଗ୍ରାମ ରଘୁରାଜପୁରକୁ ଯାଇ ବିଭିନ୍ନ ଡିଜାଇନ ଦେଖିବେ। ତେବେ ତୃତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିରର ରୂପା କବାଟ ଡିଜାଇନ ଚୂଡ଼ାନ୍ତ ହୋଇପାରେ ବୋଲି ଆଶାବାଦୀ ରହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।
କାଠ ଫ୍ରେମ ଓ ଡିଜାଇନ ସହ ରୂପା ଛାଉଣୀ ଡିଜାଇନ ଚୂଡ଼ାନ୍ତ ହେବା ପରେ ଏଏସଆଇ ଦିଲ୍ଲୀ ଡିଜିଙ୍କ ନିକଟକୁ ପଠାଯିବ। ଏଏସଆଇ ଦିଲ୍ଲୀ ଡିଜିଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ୮ ଟି ଦ୍ବାର ରୂପା ଛାଉଣୀ କରାଯିବ।
ଶ୍ରୀମନ୍ଦିରର ରୂପା କବାଟ ଡିଜାଇନରେ ଉତ୍କଳୀୟ ଓ ଶ୍ରୀଜଗନ୍ନାଥ କଳାଶୈଳୀକୁ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଏହାସହ ଉତ୍କଳର ସ୍ଥାପତ୍ୟକୁ ମଧ୍ୟ ଏଥିରେ ଯାଗା ଦେବାକୁ ଯୋଜନା କରାଯାଉଛି। ଏଥିପାଇଁ ରୂପା କବାଟ ଡିଜାଇନ ଚୂଡ଼ାନ୍ତ ହେବାରେ ବିଳମ୍ବ ହେଉଥିବା ନେଇ ସୂଚନା ମିଳିଛି। ଆଜି(ସୋମବାର)ର ବୈଠକରେ ବିଭିନ୍ନ ଡିଜାଇନ ଉପସ୍ଥାପନ ହୋଇଥିଲା ସେଥିମଧ୍ୟରୁ ଦୁଇଟି ଡିଜାଇନ ଗ୍ରହଣୀୟ ହୋଇଛି। ତେବେ ଏହାକୁ ଚୂଡ଼ାନ୍ତ କରାଯାଇନାହିଁ। ସର୍ବସମ୍ମତ ପରେ ଏନେଇ ବିଚାର କରାଯିବ।
ଏହାସହ ବୈଠକରେ ଶ୍ରୀମନ୍ଦିର ବାଇଶି ପାହାଚ ସହ ମା' ମହାଲକ୍ଷ୍ମୀଙ୍କ ମନ୍ଦିରର ମରାମତି କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଏହି ମରାମତି କାର୍ଯ୍ୟ ଆରମ୍ଭ ହେବାନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡେଣ୍ଟ ଅରୁଣ କୁମାର ମଲ୍ଲିକ। ଗତ ନଭେମ୍ବର 4 ତାରିଖରେ ଓଡିଶା ସେତୁ ନିର୍ମାଣ ନିଗମ ଶ୍ରୀମନ୍ଦିର ବାଇଶି ପାହାଚ, ମା' ମହାଲକ୍ଷ୍ମୀ ଓ ରୋଷଘର ଯାଞ୍ଚ କରିଥିଲେ।
ଏହାପୂର୍ବରୁ ୪ ଜଣିଆ ଏଏସଆଇ ଟିମ ମଧ୍ୟ ବାଇଶି ପାହାଚ, ମା' ମହାଲକ୍ଷ୍ମୀଙ୍କ ମନ୍ଦିର ସହ ମରାମତି ହେବାକୁ ଥିବା ଅନ୍ୟ ସବୁ ଦୁର୍ବଳ ଅଂଶ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ବାଇଶି ପାହାଚ ଦୁର୍ବଳ ପଥରର ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତିତ ହୋଇଛି। ଯୋଡ଼େଇ ସ୍ଥାନର ଆବଶ୍ୟକ ପ୍ୟାଚିଂ ହେବ। ମା' ମହାଲକ୍ଷ୍ମୀଙ୍କ ମନ୍ଦିରର ପାଣି ଗଳୁଥିବା ସ୍ଥାନର ମଧ୍ୟ ମରାମତି କରାଯିବ। ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ଵିତୀୟ ବୈଠକରେ ଏଏସଆଇ ସୁପେରିଟେଡ଼ଣ୍ଟ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସଆଇ ପ୍ରତିନିଧି ଉପସ୍ଥିତ ଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ