ପୁରୀ: ରାତି ପହିଲେ ସ୍ନାନଯାତ୍ରା । ପରମ୍ପରା ଅନୁଯାୟୀ ଦଇତା ପତି ସେବକମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ଗୋଟାଏରୁ ପହଣ୍ଡି କରାଯିବାକୁ ନିଷ୍ପତ୍ତି ହୋଇଛି । କଟକଣାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ ସିସିଟିଭି କ୍ୟାମେରା ମାଧ୍ୟମରେ ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ବଡଦାଣ୍ଡର ମାର୍କେଟ ଛକଠାରୁ ଆରମ୍ଭ କରି କାକୁଡିଖାଇ ଛକ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ,ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ଲବଣିଖିଆ ଛକ, ଖୁଣ୍ଟିଆ ସାହି, ପାଣ୍ଡ ଜାଗା, ଛପନ ଛକ, ଭୋଗଯାଗା ଓ ଲୋକନାଥ ରୋଡ଼ ଆଦି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆଜି ରାତି ୧୦ରୁ ଆସନ୍ତା ୨୫ତାରିଖ ରାତି ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ଭକ୍ତମାନେ ଚଳିତବର୍ଷ ସ୍ନାନନୀତି ଓ ହାତୀବେଶ ଦର୍ଶନ ସିଧା ପ୍ରସାରଣ ମାଧ୍ୟମରେ ଦେଖିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ସେପଟେ ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କୁ ପାସ ବଣ୍ଟନ କରାଯାଇଛି । RTPCR ନେଗେଟିଭ ରିପୋର୍ଟ ଓ ପାସ ପାଇଥିବା ସେବାୟତ ହିଁ ସ୍ନାନଯାତ୍ରାରେ ସାମିଲ ହେବେ । ରାତି 1ଟାରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ । ପହଣ୍ଡି ପରେ ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳେ ପ୍ରତ୍ୟକ୍ଷ ସ୍ନାନ ଅନୁଷ୍ଠିତ ହେବ ।
ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଆଜିଠାରୁ ଅଧିବାସ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ । ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ ।