ପୁରୀ:ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ଆଜି (ମଙ୍ଗଳବାର) ଶ୍ରୀଜିଉଙ୍କ ଫୁଲୁରି ତେଲ ଲାଗି ନୀତି । ଜ୍ୱରରେ କମ୍ପୁଥିବା ତିନି ଠାକୁରଙ୍କ ଚାଲିଛି ମହାପ୍ରଭୁଙ୍କ ଅନବସର ଗୁପ୍ତ ଚିକିତ୍ସା । ଆଉ ମହାପ୍ରଭୁଙ୍କ ଦେହରେ ଫୁଲୁରି ତେଲ ଲାଗିହେବ । ଏହାପରେ ଧିରେ ଧିରେ ସୁସ୍ଥ ହେବେ ତିନି ଠାକୁର ।
ପରମ୍ପରା ଅନୁଯାୟୀ ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯାଇଥାଏ । ମଙ୍ଗଳବାର ଅପରାହ୍ନରେ ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ତେଲ ଶ୍ରୀମନ୍ଦିରରେ ଦିଆଯାଇଛି । ପରମ୍ପରା ଅନୁସାରେ ଗତ ବର୍ଷ ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ । ପରେ ଏହି ତେଲକୁ ମାଟିତଳୁ ବାହାର କରାଯାଇଥାଏ ।