ପୁରୀ: "ମୁଁ ଆସିଛିମାନେ ଜଗା ଦର୍ଶନ କରିକି ଯିବି । ମୋତେ ୧୫ ଦିନ ହେଲା ଶୁଆଇ ଦେଉନି । ମୁଁ ତାର ପାଦ ଛୁଇଁବି । କୋଭିଡ କଟକଣା ଥିଲେ ବି ମୁଁ ମନ୍ଦିର ଭିତରକୁ ଯିବି ।" ପୁରୀ ଶ୍ରୀମନ୍ଦିର ବାହାରେ ଜଣେ ମହିଳା କାନ୍ଦିକାନ୍ଦି ଏହିଭଳି କିଛି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଜିଦ୍ କରିଥିଲେ । ଜଗା ଦର୍ଶନ ନ ମିଳିଲେ ସେ ପୁରୀ ଛାଡ଼ି ଯିବେ ନାହିଁ ବୋଲି କହିଥିଲେ ।
ଏହି ମହିଳା ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ହରିଅଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି । ତାଙ୍କ ପରିଜନଙ୍କ କହିବା ମୁତାବକ ମହିଳାଙ୍କ ଦେହରେ ସାକ୍ଷାତ ମା' ଶାରଳା ଆସୁଛନ୍ତି । କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ଏହି ମହିଳା ଜଣଙ୍କ ପୋଲିସ ସୁରକ୍ଷାକୁ ଭେଦ କରି ଅରୁଣସ୍ତମ୍ଭ ନିକଟ ପର୍ଯ୍ୟନ୍ତ ଦୌଡିଥିଲେ । ବ୍ୟାରିକେଡ ଭିତରକୁ ଆସିଥିବା ମହିଳାଙ୍କୁ ସେବାୟତ ଓ ପୋଲିସ କର୍ମଚାରୀ ଟାଣିଟାଣି ନେଇ ବ୍ୟାରିକେଡ ବାହାରେ ଛାଡିଥିଲେ ।