ପୁରୀ: ନୂତନ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ଧାରଣା ଓ ପ୍ରତିବାଦ(Strike In Puri) । ପୁରୀ ଚକ୍ର ତୀର୍ଥ ରୋଡ଼ରେ ହେବାକୁ ଯାଉଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ । ମତ୍ସ୍ୟଜୀବୀ ଓ ଉଠା ଦୋକାନୀମାନେ ବ୍ଲୁ ଫ୍ଲାଗ ବିଚକୁ କଡା ବିରୋଧ କରିବା ସହ କାର୍ଯ୍ୟ ଚାଲିଥିବା ସ୍ଥାନରେ ଧାରଣା ଦେଇଛନ୍ତି ।
ପୁରୀ ବେଳାଭୂମିରେ ନୂଆ Blue Flag Beachକୁ ବିରୋଧ, ଧାରଣାରେ ଶହ ଶହ ଦୋକାନୀ - ପୁରୀରେ ଦୋକାନୀଙ୍କ ଧାରଣା
ପୁରୀ ବେଳାଭୂମିରେ ନୂଆ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରି ଧାରଣା । ବ୍ୟବସାୟ ହରାଇବା ଅଭିଯୋଗରେ ମତ୍ସ୍ୟଜୀବୀ ଓ ଉଠା ଦୋକାନୀମାନେ ଧାରଣା ଦେଇଥିବା ସୂଚନା । ଅଧିକ ପଢନ୍ତୁ
ଶହ ଶହ ପୁରୁଷ, ମହିଳା ଏକତ୍ର ହୋଇ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରିବା ସହ କାର୍ଯ୍ୟ ବନ୍ଦ ନେଇ ଦାବି କରିଛନ୍ତି । ଆନ୍ଦୋଳନକାରୀ କହିଛନ୍ତି ଯେ, ପୂର୍ବରୁ ରାଜ ଭବନ ପଛ ବେଳାଭୂମିକୁ ପ୍ରଶାସନ ବ୍ଲୁ ଫ୍ଲାଗ ବିଚ କରି ଏଥିରେ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା ଲଗାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ବ୍ୟବସାୟ ନେଇ କଟକଣା ଜାରି କରାଯାଇଛି । ଫଳରେ ହଜାର ହଜାର ଉଠା ଦୋକାନୀ ନିଜର ରୋଜଗାର ହରାଇ ଆର୍ଥିକ ଅନଟନରେ ଦିନ କାଟୁଛନ୍ତି । ଘର ଓ ପରିବାର ପ୍ରତିପୋଷଣ କରିବା ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ତେବେ ଦୁର୍ଭାଗ୍ୟର ବିଷୟ ପ୍ରଶାସନ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ନ ଦେଇ ପୁଣି ଆଉ ଏକ ବ୍ଲୁ ଫ୍ଲାଗ ବିଚ ଚକ୍ରତୀର୍ଥ ବେଳାଭୂମିରେ କରୁଛି ।
ଏହା ଦ୍ୱାରା ପୁଣି ହଜାର ହଜାର ଲୋକେ ରୋଜଗାର ହରାଇବା ସହ ଆର୍ଥିକ ଅନଟନର ଶିକାର ହେବେ । ରାଜ୍ୟ ସରକାର ଲୋକଙ୍କୁ ରୋଜଗାର ଓ ଜୀବନ ଜୀବିକା ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଥିବା କଥା ପ୍ରଚାର କରାଯାଉ ଥିବାବେଳେ ପୁରୀ ପ୍ରଶାସନର ଏଭଳି ଗରିବ ମାରଣ ନୀତି ନେଇ ଆନ୍ଦୋଳନକାରୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ କଣ ସେନେଇ ପ୍ରଶ୍ନ କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ଯଦି ଚକ୍ର ତୀର୍ଥ ରୋଡ଼ ବେଳାଭୂମିରୁ ବ୍ଲୁ ଫ୍ଲାଗ ବିଚ କାର୍ଯ୍ୟ ବନ୍ଦ ନ କରେ ଏହାକୁ ଦୃଢ଼ ବିରୋଧ କରାଯିବ ଓ ଆଗାମୀ ଦିନରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ