ପୁରୀ:ଦୀର୍ଘ 7 ମାସ ହେବ ଭକ୍ତ ମାନେ କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇନାହାଁନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରି ନାହାନ୍ତି । ତେବେ ଏଭଳି ସ୍ଥିତିରେ ସରକାର ଅରୁଣସ୍ତମ୍ଭକୁ ସ୍ପର୍ଶ କରିବା ନେଇ ଭକ୍ତଙ୍କ ପାଇଁ କଟକଣା ରଖିଛନ୍ତି । ତେବେ ଏନେଇ ଦୃଢ ପ୍ରତିବାଦ କରିଛି ଶ୍ରୀଜଗନ୍ନାଥ ସେନା । ଶନିବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଧାରଣା ଦିଆଯାଇଛି । ତୁରନ୍ତ ଭକ୍ତଙ୍କୁ ଅରୁଣସ୍ତମ୍ଭ ନିକଟକୁ ଯିବାକୁ ଅନୁମତି ଦେବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।
ଅନ୍ୟ ରାଜ୍ୟରେ କୋଭିଡ ଗାଇଡ ଲାଇନରେ ମନ୍ଦିର ଖୋଲି ସାରିଥିବା ବେଳେ ଶ୍ରୀମନ୍ଦିରକୁ କାହିଁକି ଭକ୍ତଙ୍କ ପାଇଁ ରାଜ୍ୟ ସରକାର ବନ୍ଦ କରିଛନ୍ତି ସେନେଇ ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁର୍ନବିଚାର କରିବା ସହ ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି । 24 ଘଣ୍ଟା ଭିତରେ ଏନେଇ ସରକାର ନିଷ୍ପତ୍ତି ନ ନେଲେ ପୁରୀ ଜନସାଧାରଣଙ୍କ ସହ ମିଶି ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନକୁ ଓହ୍ଲାଇବ । ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।