ପୁରୀ: ଜଗନ୍ନାଥ ସଂସ୍କୃତି, ପରମ୍ପରା, ଐତିହ୍ୟ, କାହାଣୀ, କେବଳ ମାତ୍ର ପୌରାଣିକ ତଥ୍ୟ, ତାହା ନୁହେଁ, ଏଥିରେ ଭରି ରହିଛି ବୈଜ୍ଞାନିକ କାରଣ ସମେତ ସାମାଜିକ ସନ୍ଦେସ । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ମହାପ୍ରଭୁ ଜ୍ବରରେ ପୀଡିତ ହେବା । ସ୍ନାନଯାତ୍ରାରେ ମହାସ୍ନାନ କରି ଜ୍ବରରେ ଆକ୍ରାନ୍ତ ହେବା ମହାପ୍ରଭୁଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ । ଆଶ୍ଚର୍ଯ୍ୟ କରେ ଜଗନ୍ନାଥ ସଂସ୍କୃତିର ଏହି ଅଣସର ନୀତି ।
ଦାରୁ ମୂରତି ହେଲେ ମଧ୍ୟ ସ୍ନାନକରି ଜ୍ବରରେ ପୀଡିତ ହୁଅନ୍ତି ମହାପ୍ରଭୁ ଆଉ ଉପଶମ ପାଇଁ ଲୋଡାପଡନ୍ତି ବୈଦ୍ୟ । ଏହି ସମୟରେ ଅନୁଷ୍ଠିତ ହୁଏ ସ୍ବତନ୍ତ୍ର ନୀତିକାନ୍ତି । ଯାହାକୁ କୁହାଯାଏ ଅଣସର ବା ଅନବସର ନୀତି । ତେବେ ପ୍ରତିବର୍ଷ ଅଣସର ନୀତି ସ୍ନାନଯାତ୍ରା ପରେ ଅନୁଷ୍ଠିତ ହେଉ ଥିବାବେଳେ ମହାପ୍ରଭୁଙ୍କର ମହାସ୍ନାନ ନୀତି ନବକଳେବର ସମୟରେ ହୋଇଥାଏ ।
ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ଯାଏଁ ମହାପ୍ରଭୁଙ୍କ ଅଣସର ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ଦଇତାପତି ସେବକମାନେ ଏହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଚାର କରିଥାନ୍ତି । ଶ୍ରୀମନ୍ଦିରର ଜୟ ବିଜୟ ଦ୍ବାର ପରେ ଜଗ ମୋହନରେ ବଲ୍ଲଭ ପିଣ୍ଡି ବା ଅଣସର ପିଣ୍ଡି ହୋଇଥାଏ । ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉକ୍ତ ପିଣ୍ଡିରେ ବିଜେ କରାଯାଇ ଅତି ଗୁପ୍ତ ଭାବେ ଉପଚାର ଓ ପୂଜାର୍ଚ୍ଚନା କରାଯାଏ । ଏହି ଅଣସର 15 ଦିନ ସାଧାରଣ ଦର୍ଶନ ବନ୍ଦ ରହେ ।
କେବଳ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସେବା କରିଥାନ୍ତି । ଏହି ସମୟରେ ଶ୍ରୀମନ୍ଦିରରେ ଆଲୋକ ଜଳେ ନାହିଁ । କୌଣସି ଶବ୍ଦ ମଧ୍ୟ କରା ଯାଇନଥାଏ । ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଏ । ଅନ୍ନ ଭୋଗ ହୋଇ ନଥାଏ । ପଣା, ଫଳ, ଛେନା ଆଦି ଭୋଗ ଲାଗି କରାଯାଏ । ଅଣସର ପଞ୍ଚମୀରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲେପନ ହୋଇଥାଏ । ସେହିପରି ଦଶମୀ ଦିନ ମହାପ୍ରଭୁ ରାଜ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ସ୍ବତନ୍ତ୍ର ଆୟୁର୍ବେଦ ଔଷଧ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୁଅନ୍ତି । ଅଣସର ଦ୍ଵାଦଶୀରେ ଦଇତାପତି ସେବାୟତମାନେ ରାଜ ପ୍ରସାଦ ଯାଇ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଗଜପତି ମହାରାଜଙ୍କୁ ଦିଅନ୍ତି । ଏହାକୁ ରାଜପ୍ରାସାଦ ବିଜେ କୁହାଯାଏ । ପରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନପରେ ମହାପ୍ରଭୁ ରଥଯାତ୍ରାରେ ବାହାରିଥାନ୍ତି ।