ପୁରୀ: ନୀଳ ସିନ୍ଧୁ ତିରେ ନୀଳାଚଳ, ତହିଁ ବିରାଜିତ ବଡ ଦେଉଳ । ଆଉ ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ଅନେକ ଗୁଢ ତତ୍ତ୍ବରେ ଆଚ୍ଛନ୍ନ ଏହି ଧାମ । ସେଥିମଧ୍ୟରୁ ମହାପ୍ରଭୁଙ୍କ ଷୋଡଷ ମଣ୍ଡପ ଅନ୍ୟତମ । ଭୋଗଠୁ ନେଇ ଭେଟ ଏବଂ ଆଡପଠୁ ନେଇ ମୁକ୍ତି ମଣ୍ଡପ ପର୍ଯ୍ୟନ୍ତ ସବୁ ମଣ୍ଡପକୁ ମଣ୍ଡିତ କରିଛି ସ୍ବତନ୍ତ୍ର ନୀତିଚର୍ଯ୍ୟା ସାଙ୍ଗକୁ କିମ୍ବଦନ୍ତୀ ।
କାଳିଆ ଠାକୁରର ଷୋହଳ କଳା ଯେମିତି ତା'ର ଷୋଡଷ ମଣ୍ଡପ ବି ସେମିତି । ମହାପ୍ରଭୁ ରତ୍ନ ମଣ୍ଡପରେ ବିରାଜିତ ହୋଇଥିଲେ ମଧ୍ୟ ଲୀଳା-ଖେଳା କରନ୍ତି ଅନ୍ୟାନ୍ୟ ମଣ୍ଡପରେ । ଭିନ୍ନ ଭିନ୍ନ ମଣ୍ଡପରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି । ମହାପ୍ରଭୁଙ୍କ ବିଭିନ୍ନ ମଣ୍ଡପ ହେଉଛି ରତ୍ନ ମଣ୍ଡପ, ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ଦୋଳ ମଣ୍ଡପ, ଯଜ୍ଞ ମଣ୍ଡପ ଓ ମୁକ୍ତି ମଣ୍ଡପ ।
ତିନି ଠାକୁର ବିରାଜିତ ରତ୍ନ ସିଂହାସନକୁ ରତ୍ନ ମଣ୍ଡପ ବା ନୀଳାଦ୍ରି ମଣ୍ଡପ କୁହାଯାଏ । ଏହାପରେ ରହିଛି ନାଟ ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଶ୍ରୀମନ୍ଦିର ଭିତରେ ରହିଛି ଭୋଗ ମଣ୍ଡପ । ଏଠାରେ ବରାଦୀ ଭୋଗ ମହାପ୍ରଭୁଙ୍କ ନିକଟରେ କରାଯାଏ । ଶ୍ରୀମନ୍ଦିର କୁରୁମ ବେଢ଼ା ଭିତରେ ରହିଛି ଜଳ କ୍ରୀଡା ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜଳ କ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ । ଏହା ନିକଟରେ ରହିଛି ମୁକ୍ତି ମଣ୍ଡପ । ଯେଉଁଠାରେ ବିଭିନ୍ନ ପାତକର ପ୍ରତିକାର ପାଇଁ ଭକ୍ତମାନେ ଆସି ମୁକ୍ତି ମଣ୍ଡପର ବ୍ରାହ୍ମଣମାନଙ୍କ ଠାରୁ ପରାମର୍ଶ ନେଇଥାନ୍ତି ।
ସେହିପରି ଭିତର ବେଢ଼ାରେ ରହିଛି ସୋମନାଥ ମଣ୍ଡପ ବା ମାଜଣା ମଣ୍ଡପ । ଏହି ମଣ୍ଡପରେ ଠାକୁରଙ୍କ ମାଜଣା ନୀତି, ରୁକ୍ମିଣୀ ହରଣ ଏକାଦଶୀ ତିଥି ତଥା ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ଏହାସହ ଦୁର୍ଗାପୂଜା ସମୟରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ପାଇଁ ଏହି ସମସ୍ତ ମଣ୍ଡପ ପ୍ରତିଷ୍ଠା କରାଯାଇଛି ।