ଓଡିଶା

odisha

ETV Bharat / city

ଅଧରପଣା ନୀତି ନିର୍ଘଣ୍ଟ, ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ନୀତି - ଅଧରପଣା ନୀତି

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବିଜେ କରିବେ । ଅଧିକ ପଢନ୍ତୁ

ଅଧରପଣା ନୀତି ନିର୍ଘଣ୍ଟ, ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ନୀତି
ଅଧରପଣା ନୀତି ନିର୍ଘଣ୍ଟ, ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ନୀତି

By

Published : Jul 11, 2022, 1:20 PM IST

ପୁରୀ: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନ ଯାତ୍ରା ସାରି ରତ୍ନସିଂହାସନକୁ ବିଜେ କରିବେ । ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ବଢିବା ପରେ ଅନ୍ୟାନ୍ୟ ନୀତି ଚାଲୁ ରହିଛି । ତିନି ରଥରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ମଧ୍ୟ ସମାଗମ ହୋଇଛି ।

ମହାପ୍ରଭୁଙ୍କ ଅଧର ପଣା ନୀତି ନେଇ ପ୍ରସ୍ତୁତି ଶେଷ
ଅଧରପଣା ନୀତି ନିର୍ଘଣ୍ଟ, ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ନୀତି

ଆଜି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ । ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବାଦେବୀ ବିରାଜମାନ କରିଥାନ୍ତି । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍ଣ୍ଣ ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ ।

ଗତକାଲି ସୁନାବେଶ ଦର୍ଶନ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଅପରାହ୍ନ 5 ଟାରୁ ରାତି 12ଟା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିଥିଲେ । ରାତି 12.45 ରେ ସୁନାବେଶ ଓଲାଗି କରାଯିବା ପରେ ରାତ୍ର ପହୁଡ଼ ଓ ହରିଶୟନ ନୀତି କରାଯାଇଥିଲା । ଶ୍ରୀପଞ୍ଚମୀ ଦିନଠାରୁ ତିନିରଥର ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱଦେବାଦେବୀ ମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ। ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ,ଚଣ୍ଡୀ,ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି । ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର ,ସର, ଗୋଲମରିଚ,କର୍ପୁର, ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ ।

ତୁମ୍ଭକାର ଆକାରରେ ନିର୍ମିତ ମାଟିହାଣ୍ଡିରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯିବ । ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇବେ । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ୍ବ ଦେବା ଦେବୀ, ଚଣ୍ଡୀ ଚାମଣ୍ଡା, ଓ ଅଶରୀରୀମାନେ ଏହି ପଣାକୁ ପାଇ ଆତ୍ମ ତୃପ୍ତି ଲାଭ କରିବେ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ରାତି ପ୍ରାୟ 8ଟା ବେଳକୁ ଏହି ନୀତି ଶେଷ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details