ପୁରୀ: ପଖାଳ, ପ୍ରତିଟି ଓଡିଆର ପ୍ରିୟ ଖାଦ୍ୟ । ପ୍ରତ୍ୟେକ ଓଡିଆ ଘରେ ରହିଛି ପଖାଳ କଂସାର ସ୍ବତନ୍ତ୍ର ସ୍ଥାନ । ଖରାଦିନ ଆସିଲେ ଚାଳ ଘରଠୁ ଆରମ୍ଭ କରି ଚକାଚକ୍ ପ୍ରାସାଦ ଯାଏଁ ସବୁଠି ଖୋଜାପଡେ ପଖାଳ କଂସା । ଓଡିଆ ଜାତିର ଅନନ୍ୟ ବିଶେଷତ୍ବ ବହନ କରୁଥିବା ପଖାଳର ପ୍ରଚାର ପ୍ରସାର ପାଇଁ ମାର୍ଚ୍ଚ ୨୦ ତାରିଖରେ ଓଡିଆମାନେ ପାଳନ କରିଆସୁଛନ୍ତି ପଖାଳ ଦିବସ । ଆଜି ଏହି ବିଶ୍ଵ ପଖାଳ ଦିବସ ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଏହି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପୁରୀ ନୀଳାଦ୍ରୀ ବେଳାଭୂମିରେ ପଖାଳ ଦିବସ ଅବସରରେ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ବାଲିରେ ସେ ପଖାଳ, ବଡିଚୁରା, ମାଛ ଭଜା ଓ ବିଭିନ୍ନ ପ୍ରକାର ପାରମ୍ପରିକ ଓଡିଆ ବ୍ୟଞ୍ଜନର ଅବିକଳ ପ୍ରତିକୃତି ଗଢିଛନ୍ତି । ଯାହାକି ଖୁବ୍ ଆକର୍ଷଣୀୟ ଦେଖାଯାଉଛି ।