ପୁରୀ:ଜିଲ୍ଲାରେ ରବିଧାନ ସଂଗ୍ରହ ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରକ୍ତ ଜିଲ୍ଲାପାଳ (ରାଜସ୍ବ) ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବଡାସିଂ, ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଭୀମସେନ ସାହୁ, ସହକାରୀ ନିବନ୍ଧକ ସ୍ବରୂପ କର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ରବି ଋତୁ ପାଇଁ ଜିଲ୍ଲାରେ ୧୫୪୭୮ ଜଣ ପଞ୍ଜୀକୃତ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିବେ ।
ଚଳିତମାସ ୧୭ ତାରିଖରୁ ଆସନ୍ତା ମାସ ୩୦ ତାରିଖ ପର୍ଯ୍ୟନ୍ତ ମଣ୍ତି ମାଧ୍ୟମରେ ଧାନ କିଣାଯିବ । ଏଥିନିମନ୍ତେ ଅସ୍ତରଙ୍ଗ ବ୍ଲକ ବ୍ୟତୀତ ଜିଲ୍ଲାର ୧୦ଟି ବ୍ଲକର ୧୦୦ଟି ଧାନ କ୍ରୟ କେନ୍ଦ୍ର ତଥା ମଣ୍ତିରେ ୧୯ ଜଣ ମିଲରଙ୍କ ମାଧ୍ୟମରେ ଧାନ କିଣାଯିବ । ଗତବର୍ଷ ୧୨୩୫୭ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ୩୪୬୫୮୧ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଆପାତତଃ ୪ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି । ଆଗୁଆ ମୌସୁମୀକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସ୍ଥିରିକୃତ ସମସ୍ତ ମଣ୍ତିକୁ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ପର୍ଯ୍ୟାପ୍ତ ପଲିଥିନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ରଖିବା ଉପରେ ସଞ୍ଜୟ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି ।