ପୁରୀ: ଭାରତ ବର୍ଷରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ସେଥିରୁ କେତେକ ମନ୍ଦିରର ଆୟ କୋଟି କୋଟି ରହିଥାଏ । ସେହିପରି ଆମ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମଧ୍ୟ ରହିଛି ଅଚଳାଚଳ ସମ୍ପତ୍ତି । ହେଲେ ମହାପ୍ରଭୁଙ୍କ ସମ୍ପତ୍ତି ମାଡି ବସିଛନ୍ତି କେତେକ ଜବରଦଖଲକାରୀ । ଯାହାକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଅପରାଗତ ଯୋଗୁଁ ଉଦ୍ଧାର କରାଯାଇପାରୁନାହିଁ ।
ମହାପ୍ରଭୁଙ୍କ ସମ୍ପତ୍ତି ମାଡି ବସିଛନ୍ତି ଜବରଦଖଲକାରୀ, ଆସୁନି ରାଜସ୍ବ ଅନେକ ରାଜା ମହାରାଜା ପୂର୍ବ କାଳରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହଜାର ହଜାର ଏକର ଜମି ଦାନ କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ରହିଛି ଶ୍ରୀଜିଉଙ୍କ ସମ୍ପତ୍ତି । ଏପରିକି ଅନେକ ମହାପ୍ରଭୁଙ୍କ ନିକଟରେ ସୁନା ରୂପା ମଧ୍ୟ ସମର୍ପଣ କରିଥାନ୍ତି । ହେଲେ ଏତେ ସମ୍ପତ୍ତି ଥାଇ ମଧ୍ୟ ଶ୍ରୀମନ୍ଦିର ରାଜସ୍ବ ଶୂନ ରହିଛି । ମହାପ୍ରଭୁଙ୍କ ଜମିରେ ଘରବାଡି କରି ରହିଛନ୍ତି ପୁରୀବାସୀ । ଜବରଦଖଲ ଉଚ୍ଛେଦ ପାଇଁ ବିବାଦ ଲାଗି ରହିଥିବାରୁ କୋଟି କୋଟି ଟଙ୍କା କ୍ଷତି ସହୁଛି ଶ୍ରୀମନ୍ଦିର । ଏନେଇ ରାଜ୍ୟ ସରକାରଙ୍କ ଅପରାଗତା ଓ ରାଜସ୍ବ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସମାଜସେବୀ ଓ ସେବାୟତ ।
ରାଜ୍ୟର 24ଟି ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ 60 ହଜାର 4 ଶହ 62.954 ଏକର ଜମି ରହିଛି । ସେଥିରୁ 34 ହଜାର 8 ଶହ 76.983 ଏକର ଜମିକୁ ସରକାର ନିଜ ଅଧିନକୁ ଆଣି ପାରିଛନ୍ତି । ଏବେ ବି ଜବର ଦଖଲକାରୀଙ୍କ ଅଧିନରେ ରହିଛି 26 ହଜାର ଏକରରୁ ଉର୍ଦ୍ଧ୍ବ ଜମି । ସେହିପରି ଓଡିଶା ବାହାରେ ବି ଶ୍ରୀଜିଉଙ୍କର ହଜାର ହଜାର ଜାଗାଜମି ଥିବାବେଳେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ 6 ଟି ରାଜ୍ୟରୁ ମାତ୍ର 3 ଶହ 95.252 ଏକର ଜମି ଚିହ୍ନଟ କରିଛନ୍ତି । ଜବରଦଖଲ ଜମିକୁ ମୁକ୍ତ କରିବା ପାଇଁ ସରକାର ବିଭିନ୍ନ ଜିଲ୍ଲାରେ ମାମଲା ରୁଜୁ କରିବା ସହ ତହସିଲଦାରମାନଙ୍କୁ ଦାୟିତ୍ବ ଦିଆଯିବା ସମ୍ପର୍କରେ ବିଧାନସଭା ଅଧିବେଶନରେ ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପ୍ରତାପ ଜେନା । ହେଲେ ଫଳ ଏବେ ବି ନିରାଶଜନକ ।
ଶ୍ରୀମନ୍ଦିରର ଅଚଳାଚଳ ସମ୍ପତି ମାଡି ବସିଥିବା ଏହି ଜବରଦଖଲକାରୀଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଗଲେ ମହାପ୍ରଭୁଙ୍କ ସମ୍ପତି ବୃଦ୍ଧି ପାଇବାରେ ସହାୟ ହୋଇପାରନ୍ତା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ