ପୁରୀ: କୋରୋନା ପାଇଁ ସବୁ ପର୍ବ ଫିକା ପଡିଛି । ପୁରୀର ଗୋଷାଣୀ ଯାତ୍ରା ଭସାଣ ମଧ୍ୟ ଏଥିରୁ ବାଦ ପଡିନାହିଁ । ଗୋଷାଣୀ ଯାତ୍ରା ଭସାଣରେ ଲୋକଙ୍କ ପାଇଁ କଟକଣା ଜାରି ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଗୋଷାଣୀ ଯାତ୍ରାକୁ ସର୍ବସାଧାରଣଙ୍କ ଦର୍ଶନ ଉପରେ ପୁରୀ ପ୍ରଶାସନ ପକ୍ଷରୁ ଜାରି ହୋଇଛି କଟକଣା ।
ମେଢ ଦେଖିବା ପାଇଁ ଦର୍ଶନାର୍ଥୀ ମାନଙ୍କ ଭିଡ ହେବା ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଉଲ୍ଲଙ୍ଘନ ଏବଂ କୋରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି । ପୂର୍ବରୁ ଦୁର୍ଗା ପୂଜା ସମୟରେ ସର୍ବସାଧାରଣ ଦର୍ଶନ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସାରା ରାଜ୍ୟରେ ଜାରି କଟକଣା ବଳବତ୍ତର ରହିଛି । ଭସାଣି ମଧ୍ୟାହ୍ନ ୧୨ ଘଟିକା ସମୟରୁ ଗୋଷାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ କଟକଣା ଲାଗୁ ରହିଛି ।