ପୁରୀ: ମଣିମା, ମଣିମା... ଗୁହାରି ଶୁଣିବା ହେଉ ହେ ମଣିମା । ପତିତପାବନ ଅର୍ଥେ ପ୍ରାସାଦୁ ବାହାରି ଦରଶନ ଦିଅ ହେ ! ମଣିମା...। ବରଷକ ଯାକ ଏହି ଭାବରେ ବ୍ୟାକୁଳ ହେଉଥିବା ଭକ୍ତ ଅପେକ୍ଷାର ଅନ୍ତ ଘଟିବ । ରତ୍ନବେଦୀ ଛାଡି ସ୍ନାନବେଦୀରେ ଉଭା ହେବେ ବଡଠାକୁର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାକାର ହୋଇଯିବେ ଭକ୍ତ ଆଉ ଭଗବାନ, ଆନନ୍ଦାଶ୍ରୁରେ ବୁଡିବ ବଡଦାଣ୍ଡ, ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଷଯାତ୍ରାର ଆଦ୍ୟଯାତ୍ରା ସ୍ନାନଯାତ୍ରା । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ମୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ ।
ନୀଳାଦ୍ରି ଗନ୍ଥ ଅନୁସାରେ ଏହି ଦିବସ ହେଉଛି କାଳିଆ ଠାକୁରର ଜନ୍ମଦିବସ ବା ଆବିର୍ଭାବ ଦିବସ, ଯାହାକୁ ରଥଯାତ୍ରାର ଆଦ୍ୟ ପର୍ବ ବା ଆଦ୍ୟଲୀଳା କୁହାଯାଏ ।ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପାରିକ ରୀତିରେ ବେଦ ଧ୍ବନି ପୂର୍ବକ 108 କଳସୀ ଜଳରେ ସ୍ନାନ କରାଯାଇ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ପ୍ରତ୍ୟେହ ମହାପ୍ରଭୁଙ୍କ ବିମ୍ବସ୍ନାନ ବା ପ୍ରତିବିମ୍ବ ସ୍ନାନ କରାଯାଇଥାଏ, ମାତ୍ର ସ୍ନାନଯାତ୍ରାରେ ମହାପ୍ରଭୁ ବର୍ଷକରେ ଥରେ ପ୍ରତ୍ୟେକ୍ଷ ଶ୍ରୀଅଙ୍ଗ ସ୍ନାନ କରିଥାନ୍ତି, ଯେଉଁ ସ୍ନାନ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମ୍ମୁଖରେ ହୋଇଥାଏ ।
ତେବେ ମହାପ୍ରଭୁଙ୍କ ଏହି ସର୍ବସମ୍ମୁଖ ସ୍ନାନରେ ରହିଛି ପୌରାଣିକ କିମ୍ବଦନ୍ତୀ... ଦ୍ବାପର ଯୁଗରେ କ୍ରୁଷ୍ଣ ଲୀଳା ସମୟରେ ରସିକ ପ୍ରବର ମହାପ୍ରଭୁ ସ୍ନାନ କରୁଥିବା ଗୋପାଙ୍ଗନାଙ୍କ ବସ୍ତ୍ର ଲୁଚାଇ ଦେଉଥିଲେ । ଫଳରେ ଗୋପବାଳିମାନେ ମହାପ୍ରଭୁଙ୍କୁ, ଆପଣ ମଧ୍ୟ କଳିଯୁଗରେ ଏହିପରି ମଞ୍ଚସ୍ନାନ କରିବେ, ସାରାଜଗତ ଆପଣଙ୍କୁ ସ୍ନାନ କରୁଥିବାର ଦେଖିବ ବୋଲି କହିଥିଲେ । ଗୋପବାଳିଙ୍କର ଏହି ବଚନକୁ ରକ୍ଷା କରି କଳିଯୁଗରେ ମଞ୍ଚସ୍ନାନ କରୁଛନ୍ତି ମହାପ୍ରଭୁ ।
ସ୍ନାନଯାତ୍ରା ଦିନ ରତ୍ନ ସିଂହାସନରୁ ଦଇତାପତି ସେବକମାନେ ପହଣ୍ଡି କରି ଶ୍ରୀଜୀଉଙ୍କୁ ସ୍ନାନ ମଣ୍ଡପରେ ଅବସ୍ଥାନ କରାଇଥାନ୍ତି । ପରେ ସ୍ନାନଯାତ୍ରା ନୀତି ଆରମ୍ଭ ହୋଇଥାଏ । ଉତ୍ତର ଦ୍ବାର ନିକଟରେ ଥିବା ସୂବର୍ଣ୍ଣ କୁଅରୁ 108 କଳସ ଜଳ ଅଣାଯାଇ ଏହାକୁ ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରାଯାଏ । ବର୍ଷ ତମାମ ଏହି କୂଅର ଜଳ ବ୍ୟବହାର ହୋଇନଥାଏ । କେବଳ ସ୍ନାନ ପୂର୍ଣ୍ଣିମାରେ ଜଳ ଆସି ମହାପ୍ରଭୁଙ୍କୁ ସ୍ନାନ କରାଯାଏ । ଏହି ଅଭିମନ୍ତ୍ରୀତ ଜଳରୁ 35 କଳସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, 33 ଗରା ବଡଠାକୁର ବଳଭଦ୍ରଙ୍କୁ , 22 ଗରା ଦେବୀ ସୁଭଦ୍ରାଙ୍କୁ ଓ 18 ଗରା ଜଳରେ ପ୍ରଭୁ ସୁଦର୍ଶନଙ୍କୁ ସ୍ନାନ କରାଯାଏ ।ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ ।
ଏହି ଗଜାନନ ବେଶ ସହ ଜଡ଼ିତ ଏକ କିମ୍ବଦନ୍ତୀ ମଧ୍ୟ ରହିଛି...ଏକଦା ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣି ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ । ସେ ଭଗବାନ ଗଣେଶଙ୍କର ପରମ ଭକ୍ତ ଥିଲେ । ତେଣୁ ମନେ ମନେ ଭାବିଥିଲେ ଶ୍ରୀମନ୍ଦିରରେ ବ୍ରହ୍ମ ରୂପରେ ଗଣପତି ହିଁ ବିଦ୍ୟମାନ ହୋଇଥିବେ । ମନରେ ଦାରୁ ବ୍ରହ୍ମ ଦର୍ଶନର ଉତ୍କଣ୍ଠା ନେଇ ଶ୍ରୀମନ୍ଦିର ଆଡକୁ ପାଦ ବଢ଼ାଇଲେ ଗଣପତି ଭଟ୍ଟ ।