ପୁରୀ:ଜୟ ଜଗନ୍ନାଥ ସ୍ବାମୀ, ନୟନ ପଥ ଗାମୀ ଭବତୁ ମେ... ଆଦିଗୁରୁ ଶଙ୍କରାଚାର୍ଯ୍ୟ ଲେଖି ଦେଇଥିବା ଏହି କେଇପଦ, ଓଡିଆ ଜାତିର ଭାବ ସାଜିଛି । ଏତିକି କହି ଏ ଓଡିଆ ଜାତି ତା ଭଗବାନଙ୍କ ନିକଟରେ ସବୁ ଦାୟିତ୍ବ ସମର୍ପି ଦେଇଛି... ଭକ୍ତଟିଏ ଯେବେ ଗରୁଡ ପଛରୁ ଚକାଆଖିର ଦର୍ଶନ ପାଏ ସ୍ମୃତିପଟରୁ ଅତୀତର ସବୁ ଦୃଶ୍ୟକୁ ଭୁଲିଯାଏ । ହଜେଇ ଦିଏ ନିଜକୁ, ଭିଜେଇ ଦିଏ କାଳିଆର ଖଣ୍ଡୁଆ ପାଟକୁ ।
ଚକାନୟନର ମହିମା ଓ ପରିସୀମା ବ୍ୟାଖ୍ୟାନ କରିବା ସତରେ ଅସାଧ୍ୟ କେବଳ ବନ୍ଦନୀୟ । ଶୂନ୍ୟ ଅନ୍ତରୀକ୍ଷରେ ଚନ୍ଦ୍ରସୂର୍ଯ୍ୟ ତୁଲ୍ୟ ବର୍ତ୍ତୁଳାକାର ସେ ଆଖି ହଳକ ବିଶ୍ବ ବ୍ରହ୍ମାଣ୍ଡ ପରିବାପ୍ତ । ସମସ୍ତ ମତ, ତତ୍ତ୍ବ ଦର୍ଶନ ତାଙ୍କଠି ଦ୍ରବୀଭୂତ... ଚକାନୟନଙ୍କ ସେ କିମିଆ ନେତ୍ର ଉଦ୍ଦେଶ୍ୟରେ ଏ ନେତ୍ରୋତ୍ସବର ଆୟୋଜନ । ଅଣସର ପିଣ୍ଡିରୁ ବାହାରିବା ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ।
ଶ୍ରୀମନ୍ଦିରର ଦତ୍ତ ମହାପାତ୍ର ସେବକମାନେ ନେତ୍ରୋତ୍ସବ ସାମଗ୍ରୀ ଆଣି ମହାପ୍ରଭୁଙ୍କ ନେତ୍ରକୁ ଚିତ୍ରଣ କରନ୍ତି । ନୀଳାଦ୍ରି ଗ୍ରନ୍ଥ ଅନୁସାରେ ଏହିସମୟରେ ନାନା ବାଦ୍ୟ ଧ୍ବନିରେ ପୂଜକମାନେ ‘ତଚ୍ଚକ୍ଷୁ’ ମନ୍ତ୍ରରେ ଠାକୁରମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରନ୍ତି । ତଚ୍ଚକ୍ଷୁ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ମନ୍ତ୍ର, ଯାହାର ଅର୍ଥ ‘‘ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ସ୍ବରୂପ । ଏହି ନେତ୍ର ଦେବତାମାନଙ୍କର ହିତକାରୀ । ଆପଣଙ୍କ କୃପାରୁ ସେହି ନିତ୍ୟଚକ୍ଷୁର ଆଲୋକ ଦ୍ବାରା ଆମେ ଶହେ ବର୍ଷ ଦେଖିବା ପାଇଁ ସକ୍ଷମ ହେଉ ।’’