ପୁରୀ: ଚକ୍ର ଆଢୁଆଳ କରି ରଖନ୍ତି, ପତିତପାବନ ବାନାରେ ସୁରକ୍ଷା ଦିଅନ୍ତି ଆଉ ଖଣ୍ଡୁଆ ପାଟରେ ଆଖିର ଲୁହ ପୋଛି ଦିଅନ୍ତି, ସେ ନୀଳାଚଳିଆ ଜଗବନ୍ଧୁ ବ୍ୟତୀତ ଆଉ କେହି ନୁହନ୍ତି । ଅଠର ନଳା ବାଟ ମଙ୍ଗଳାରୁ ନୀଳଚକ୍ର ଦେଖି ଛଳ ଛଳ ହୋଇଯାଏ ଆଖି, ଶ୍ରୀମନ୍ଦିର ପାଖେଇ ଆସୁଛି ପାଖେଇ ଆସୁଛି ଭାବରେ ମନ ହୁଏ ଉତ୍ଫୁଲ୍ଲିତ । ନୀଳାଚଳରେ ବଡ ଦେଉଳ, ବଡ ଦେଉଳରେ ନୀଳଚକ୍ର, ଆଉ ନୀଳଚକ୍ରରେ ଫର ଫର ଉଡୁଥାଇ ପତିତପାବନ ବାନା । ମନ୍ତ୍ରମୁଗ୍ଧକର ଶୀକ୍ଷେତ୍ରାଧିପତି କାଳିଆ ସାଆନ୍ତଙ୍କ ନୀଳଚକ୍ର । ତେବେ ଆସନ୍ତୁ ଜାଣିବା ନୀଳଚକ୍ରରେ ରହିଛି କି କି ବିଶେଷତ୍ତ୍ବ ।
ନୀଳଚକ୍ର ତଥା ଚକ୍ର ରାଜ ସୁଦର୍ଶନ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ଆୟୁଧ ବା ଅସ୍ତ୍ର । ଅଷ୍ଟଧାତୁରେ ନିର୍ମିତ ଏହି ନୀଳଚକ୍ରରେ ରହିଛି ସୁନା, ରୁପା, ଲୁହା, ତମ୍ବା, ସୀସା, ପାରଦ ଇତ୍ୟାଦି । ଦୂରରୁ ଏହାର ଉଚ୍ଚତା 2 ଫୁଟ ଭଳି ଲାଗୁଥିଲେ ମଧ୍ୟ ଏହା ପ୍ରକାଣ୍ଡକାୟ । ନନ୍ଦିଘୋଷ ଚକ ତଥା କୋଣାର୍କ ଚକ ଠାରୁ ମଧ୍ୟ ବିଶାଳ ମହାପ୍ରଭୁଙ୍କ ଏହି ଆୟୁଧ । ନୀଳଚକ୍ର ଓ ଏହା ଉପରେ ଥିବା ପାନପତ୍ରୀଙ୍କୁ ମିଶାଇଲେ ଏହାର ଉଚ୍ଚତା ହେବ ସାଢ଼େ 13 ଫୁଟ । ଏହାର 8 ଟି ଅର ସହ ରହିଛି 8 ଟି ଦଣ୍ଡା । ପ୍ରତ୍ୟେକ ସଂକ୍ରାନ୍ତିରେ ନୀଳଚକ୍ରଙ୍କୁ ମାଜଣା ତଥା ସ୍ନାନ କରାଯାଏ ।
ତେବେ ମହାପ୍ରଭୁଙ୍କର ଏହି ଆୟୁଧକୁ ନେଇ ରହିଛି ଏକ କିମ୍ବଦନ୍ତୀ । ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେ ହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ ହୋଇଛନ୍ତି । ଏହା ପଛରେ ଥିବା ପୌରାଣିକ କିମ୍ବଦନ୍ତୀ ହେଉଛି... ସୁଦର୍ଶନ ଦୂତ ରୂପେ ବା କାର୍ଯ୍ୟନିର୍ବାହୀ ରୂପେ ପ୍ରଭୁଙ୍କ ସବୁ କାର୍ଯ୍ୟ ତୁଲାଉଥିବାରୁ ତାଙ୍କ ମନରେ ଅହଙ୍କାର ଜାତ ହେଲା । ସୁଦର୍ଶନ ଚକ୍ର ଯୋଗୁଁ ପ୍ରଭୁଙ୍କ ନାମ ଚକ୍ରଥର ବୋଲି ସେ ଖୁବ୍ ଅହଁକାର କରୁଥିଲେ ।
ଏହା ଜାଣିପାରି ସୁଦର୍ଶନଙ୍କର ଅହଙ୍କାର ବିନାଶ ପାଇଁ କଦଳୀବନରେ ତପସ୍ୟା କରୁଥିବା ହନୁମାନଙ୍କୁ ଡାକି ଆଣିବା ପାଇଁ ସୁଦର୍ଶନଙ୍କୁ ପଠାଇଲେ ମହାପ୍ରଭୁ । ଅହଙ୍କାର ବଶତଃ ସୁଦର୍ଶନ ଗଲାବେଳେ କଦଳୀବନର ପତ୍ର ସବୁ କାଟି କାଟି ଯାଇ ସେଠାରେ ଅଭୟ ମୁଦ୍ରାରେ ତପସ୍ୟାରେ ବସିଥିବା ହନୁମାନଙ୍କୁ ପ୍ରଭୁଙ୍କ ବାର୍ତ୍ତା ଜଣାଇଲେ । ହନୁମାନ ସବୁ ଜାଣିପାରି କହିଲେ ମୁଁ ଚିରଞ୍ଜିବୀ ହେଲେ ମଧ୍ୟ ବୃଦ୍ଧାବସ୍ଥା ଯୋଗୁଁ ଶୀଘ୍ର ଯାଇପାରିବି ନାହିଁ, ଏଣୁ ତୁମେ ଆଗରେ ଚାଲ ମୁଁ ପଛେ ପଛେ ପହଞ୍ଚିବି ।
ସୁଦର୍ଶନ ଏହାଶୁଣି ଅହଙ୍କାରରେ ପୂର୍ବାପେକ୍ଷା ଦୁଇଗୁଣ ବେଗରେ ଯାଇ ପହଞ୍ଚିବା ବେଳକୁ ହନୁମାନ ସିଂହଦ୍ବାରରେ ଅପେକ୍ଷା କରିଛନ୍ତି । ସୁଦର୍ଶନ ବିସ୍ମିତ ହୋଇ ପଚାରିଲେ, ତୁମ୍ଭେ ବୃଦ୍ଧ ହେତୁ ଶୀଘ୍ର ଆସିପାରିବ ନାହିଁ ବୋଲି କହୁଥିଲ, ଏତେ ଶୀଘ୍ର ମୋ ପୂର୍ବରୁ ପହଁଞ୍ଚିଲ କିପରି । ହନୁମାନ ଉତ୍ତର ଦେଇ କହିଲେ, ମୁଁ ପିତା ପବନଦେବଙ୍କୁ ସ୍ମରଣ କରିବାରୁ ସେ ମତେ ଏଠାରେ ପହଞ୍ଚାଇଲେ । ମୁଁ ବୃଦ୍ଧ ହୋଇପାରେ କିନ୍ତୁ ପିତା ପବନଦେବ ବୃଦ୍ଧ ନୁହଁନ୍ତି । କାରଣ ଦେବତାମାନେ ବୃଦ୍ଧ ହୁଅନ୍ତି ନାହିଁ, ସର୍ବଦା ଯୁବକ ଅବସ୍ଥାରେ ଥାଆନ୍ତି ।