ପୁରୀ:ବିଶ୍ବ ନିଅନ୍ତା ବି ସମୟ ଡୋରରେ ବନ୍ଧା । ଜନ୍ମଭୂମିରେ କିଛିଦିନର ସୁଖ ପରେ ଯେ, କର୍ମଭୂମିକୁ ଫେରିବାକୁ ପଡେ ଏ ଶିକ୍ଷା ଦିଏ ଜଗନ୍ନାଥ ସଂସ୍କୃତି । ସଂସାରକୁ ସାମାଜିକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଯୁଗେ ଯୁଗେ କାଳିଆର ଭିନ୍ନ ଭିନ୍ନ ଅବତାରକୁ ନାନା ଶିକ୍ଷଣୀୟ ପରମ୍ପରା । କଳିଯୁଗରେ ଏହାକୁ ପ୍ରତିପାଦ୍ୟ କରୁଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା ପରମ୍ପରା ।
ଜନ୍ମବେଦୀରେ ନବଦିନାତ୍ମକ ଯାତ୍ରା ପରେ ବଡଦେଉଳ ଅର୍ଥାତ୍ କର୍ମଭୂମିକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି । ପୁଣି ଗହଳି-ଚହଳିରେ ଫାଟି ପଡିବ ବଡଦାଣ୍ଡ । ପୂର୍ଣ୍ଣ ପୁରୁଷଙ୍କ ସ୍ପର୍ଶରେ ଧନ୍ୟ ହୋଇଯିବ ଶୂନ୍ୟ ଶ୍ରୀମନ୍ଦିର । ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ବାହୁଡା ଯାତ୍ରା । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ ।
ବାହୁଡ଼ା ଦିନ ପ୍ରାତଃ କାଳରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି, ଅବକାଶ, ମଇଲମ, ତଡପଲାଗି, ଦ୍ବାରପାଳ ପୂଜା ପରେ ସ୍ବତନ୍ତ୍ର ଖେଚେଡ଼ି ଭୋଗ ହୋଇଥାଏ । ପରେ ଡୋର ଲାଗି, ପୁଷ୍ପାଞ୍ଜଳି ନୀତି ପରେ ଚତୁର୍ଦ୍ଧାମୂର୍ତ୍ତି ରଥ ଅଭିମୁଖେ ଧାଡି ପହଣ୍ଡିରେ ବିଜେ କରନ୍ତି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ବାହୁଡା ଯାତ୍ରା ତଥା ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ଯେଉଁମାନେ ଏହି ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ସେମାନେ ଅଶ୍ବମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।
ମହାପ୍ରଭୁଙ୍କର ଏହି ବାହୁଡା ଯାତ୍ରାର ଏକ ଅନନ୍ୟ ପରମ୍ପରା ହେଉଛି ମାଉସୀ ମା' ଅର୍ଦ୍ଧ୍ବଶ୍ବଶିନୀ ବା ଅର୍ଦ୍ଧାଶିନୀଙ୍କ ପୋଡ଼ପିଠା । ଯେତେବେଳେ ନନ୍ଦିଘୋଷ ରଥ ବଳଗଣ୍ଡି ନିକଟତର ହୁଏ ସେତେବେଳେ ମାଉସୀ ମା'ଙ୍କ ମନ୍ଦିର ନିକଟରେ ରଥ କିଛି ସମୟ ଅଟକିଯାଏ । ଆଉ ମାଉସୀ ଅର୍ଦ୍ଧାଶିନୀଙ୍କ ଦ୍ଵାରା ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ ପିଠା ସେବନ କରନ୍ତି ମହାପ୍ରଭୁ । ମାଉସୀ ମା’ଙ୍କ ପୂଜକ ଏହି ସ୍ବତନ୍ତ୍ର ପୋଡ଼ ପିଠାକୁ ପୂର୍ବରୁ ପ୍ରସ୍ତୁତ କରି ରଖି ବାହୁଡ଼ା ଦିନ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି ।