ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ସ୍ନାନ ମଣ୍ଡପ ଠାରୁ ଆରମ୍ଭ କରି ପୁରୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି । ଏନେଇ ଆଜି ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି ।
ମହାପ୍ରଭୁଙ୍କ ଏହି ଉତ୍ସବରେ ଭକ୍ତଙ୍କୁ ସାମିଲ ନେଇ ପ୍ରଶାସନ ଅନୁମତି ପରେ ଭକ୍ତଙ୍କ ଭିଡ ହେବା ନିଶ୍ଚିତ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି । ନିଜେ ପୁରୀ ଏସପି କେ ଵିଶାଲ ସିଂ ପୁରୀର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚାରି ପାଖରେ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କେଉଁଠି ବ୍ୟାରିକେଡ ବ୍ୟବସ୍ଥା ହେବ, କେଉଁ କେଉଁ ସ୍ଥାନରେ ପୋଲିସ ଫୋର୍ସ କେତେ ମୁତୟନ କରାଯିବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏନେଇ ପୋଲିସ ଡିଜିଙ୍କୁ ରିପୋର୍ଟ ଦିଆଯିବା ପରେ ଚୂଡାନ୍ତ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ଭକ୍ତଙ୍କ ସୁରକ୍ଷା ପ୍ରତି ପୋଲିସ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଭକ୍ତଙ୍କ ଠାରୁ ଭିଡର ସୁଯୋଗ ନେଇ ଅନେକ ଦୁର୍ବୃତ୍ତ ଚୋରି କରିବା ଘଟଣା ଅତୀତରେ ଘଟିଥିବାବେଳେ ଏହାକୁ କିଭଳି ରୋକିହେବ ସେ ନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି ।