ପୁରୀ: ମହାପ୍ରଭୁଙ୍କ ସୁସ୍ଥତା ନେଇ ଦଇତାପତି ସେଵାୟତ ମାନେ ରାଜପ୍ରସାଦ ବିଜେ ନୀତିରେ ଗଜପତିଙ୍କୁ ଜଣାଇବା ପରେ ରଥଯାତ୍ରା (Ratha Yatra) ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏଣୁ ସମସ୍ତ ନୀୟମ ମାନିବାକୁ ଗଜପତି ମହାରାଜ ଭକ୍ତମାନଙ୍କୁ ଅନୁରୋଧ କହିଛନ୍ତି ।
ବିନା ଭକ୍ତରେ ପାଳନ ହେବ ରଥଯାତ୍ରା: ଗଜପତି ସେହିପରି ପୁରୀ ଛଡା ଅନ୍ୟ ସ୍ଥାନରେ ରଥଯାତ୍ରା ଅୟୋଜନ ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମଧ୍ୟ ମତ ରଖିଛନ୍ତି ଗଜପତି । ସେ କହିଛନ୍ତି ପୁରୀ ହେଉଛି ସ୍ବତନ୍ତ୍ର। ମହାପ୍ରଭୁ ଏଠାରେ ନିଜେ ସ୍ବୟଂ ବିରାଜମାନ ଅଛନ୍ତି । ପୁରୀରେ ରଥଯାତ୍ରା ହେବା ଦ୍ବାରା ମହାପ୍ରଭୁଙ୍କ ଘୋଷଯାତ୍ରା ହେଲା ବୋଲି ଆମକୁ ମାନିବାକୁ ପଡିବ। ଅନ୍ୟସ୍ଥାନରେ କେବଳ ମହାପ୍ରଭୁଙ୍କ ବିଗ୍ରହ ଅଛନ୍ତି । ତେଣୁ ଅନ୍ୟ ମନ୍ଦିର ସହିତ ଶ୍ରୀମନ୍ଦିରକୁ ତୁଳନା କରିବା ଠିକ ନୁହେଁ । କୋଭିଡ ମହାମାରୀ ସୁଧୁରିଲେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ରଥଯାତ୍ରା ହୋଇ ପାରିବ ।
ସେ ଆହୁରି ମଧ୍ୟ କହିଛନ୍ତି କି ସ୍ନାନ ଯାତ୍ରାକୁ ନ ଯାଇ ରଥ ପାଇଁ ଆମେ ନିଷ୍ପତ୍ତି ନେଇଛୁ । ରଥଯାତ୍ରାରେ ମହାପ୍ରଭୁଙ୍କର ରଥରେ ଛେରାପହଁରା କରିବା ପାଇଁ ଆଲୋଚନା ହୋଇଛି । ମହାପ୍ରଭୁ ଚାହିଁଲେ ବାହୁଡ଼ା ଯାତ୍ରାରେ ମଧ୍ୟ ଆମେ ଯିବୁ ବୋଲି ପ୍ରକାଶ କରିଛନ୍ତି ମହାରାଜ ଦିବ୍ୟସିଂହ ଦେବ । କୋଭିଡ ସ୍ଥିତିକୁ ଆଖିରେ ରଖି ରଥଯାତ୍ରାରେ ଭକ୍ତମାନଙ୍କ ସମାଗମ ଠିକ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି । ଭକ୍ତମାନେ ଏକତ୍ରିତ ହେଲେ ସଂକ୍ରମଣ ବୃଦ୍ଧି ପାଇବ। ସଂକ୍ରମଣ ଯେଭଳି ବୃଦ୍ଧି ପାଇବ ନାହିଁ ସେଥିପ୍ରତି ଆମେ ମଧ୍ୟ ସଜାଗ ରହିବା ଆବଶ୍ୟକ ।
ସେପଟେ ରଥଯାତ୍ରା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତ ଯୋଗ୍ୟ ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ରରେ ବନ୍ଦ ହୋଇ ପାରିବ ନାହିଁ । ଏଣୁ ଏହି ପରିପ୍ରେକ୍ଷୀରେ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ହେଲେ ମଧ୍ୟ ଭକ୍ତ ମାନେ ଏହାକୁ ଗ୍ରହଣ କରିବା ଉଚିତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ