ଓଡିଶା

odisha

By

Published : Nov 16, 2020, 5:09 PM IST

ETV Bharat / city

ଶ୍ରୀକ୍ଷେତ୍ର ଏବେ ନିଶା ବେପାରୀଙ୍କ ଚରା ଭୂଇଁ, ବେଧଡକ ଚାଲିଛି କାରବାର

ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର ଏବେ ନିଶା ବେପାରୀଙ୍କ କବଜାରେ । ଚାଲିଛି ଖୁଲମଖୁଲା ବ୍ରାଉନସୁଗାର ବେପାର । ଆଉ ଏହି ଉତ୍କଟ ନିଶାର ବଶବର୍ତ୍ତୀ ହୋଇ ଯୁବ ପିଢ଼ି ଅନେକ ଅପରାଧ ଘଟାଉଛନ୍ତି । ତେବେ ଏହି ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ପୁରୀ ଏସପି ଆରମ୍ଭ କରିଛନ୍ତି ଅଭିଯାନ ।

ଶ୍ରୀକ୍ଷେତ୍ର ଏବେ ନିଶା ବେପାରୀଙ୍କ ଚରା ଭୂଇଁ, ବେଧଡକ ଚାଲିଛି କାରବାର
ଶ୍ରୀକ୍ଷେତ୍ର ଏବେ ନିଶା ବେପାରୀଙ୍କ ଚରା ଭୂଇଁ, ବେଧଡକ ଚାଲିଛି କାରବାର

ପୁରୀ: ଜିଲ୍ଲା ଏବେ ପାଲଟିଛି ନିଶା ବେପାରୀଙ୍କ ଚରା ଭୂଇଁ । ମୁଖ୍ୟତଃ ବ୍ରାଉନସୁଗାର ବେପାରର ପେଣ୍ଠସ୍ଥଳୀ ହୋଇଛି ଶ୍ରୀକ୍ଷେତ୍ର । ପ୍ରତି ଗଳିକନ୍ଦିରେ ନିଶା ବେପାରୀ ବେଧଡକ କରୁଛନ୍ତି ବ୍ରାଉନସୁଗାର ବେପାର । ଏକ ମାସ ଭିତରେ କୋଟିଏ ଟଙ୍କାରୁ ଅଧିକ ବ୍ରାଉନସୁଗାର ଜବତ ସହ 30ରୁ ଅଧିକ ବ୍ରାଉନ ସୁଗାର ବେପାରୀ ପୋଲିସ ହାତରେ ଧରାପଡିବା ପରେ ଏହି ବେପାର ପଛର କାହାଣୀ ଉପରୁ ପରଦା ଧୀରେ ଧୀରେ ଉଠିବାରେ ଲାଗିଛି ।

ଶ୍ରୀକ୍ଷେତ୍ର ଏବେ ନିଶା ବେପାରୀଙ୍କ ଚରା ଭୂଇଁ, ବେଧଡକ ଚାଲିଛି କାରବାର

ତେବେ ଏ ସବୁ ଧଳା ଜହର ମୁଖ୍ୟତଃ ବାଲେଶ୍ଵର ଜିଲା ଜଳେଶ୍ବରରୁ ଆସୁଛି । ଗିରଫ ହୋଇଥିବା ବ୍ରାଉନ ସୁଗାର ଚାଲାଣକାରୀ ଅଧିକାଂଶ ଜଳେଶ୍ବର ଅଞ୍ଚଳର । ପୁରୀରେ ଥିବା ନିଶା ବେପାରୀମାନେ ଏଜେଣ୍ଟ ମାଧ୍ୟମରେ ଯୋଗ ସୁତ୍ର ରଖି ପୁରୀକୁ ଏହି ବ୍ରାଉନ ସୁଗାର ଆଣୁଛନ୍ତି । ଆଉ ପୋଲିସକୁ ଚକମା ଦେଖାଇବା ପାଇଁ ମହିଳାଙ୍କ ମାଧ୍ୟମରେ ଚାଲିଛି ବ୍ରାଉନ ସୁଗାର କାରବାର ।

ବିଶେଷ କରି ଯୁବ ପିଢ଼ି ଏବେ ନିଶା ବେପାରୀଙ୍କ ଟାର୍ଗେଟରେ । ଗୋଟିଏ ମାତ୍ର ଫୋନ କଲରେ ଛୋଟ ଛୋଟ ବ୍ରାଉନ ସୁଗାର ପୁଡ଼ିଆ ଅର୍ଡର ମୁତାବକ ପହଞ୍ଚିଯାଉଛି । ଆଉ ଉତ୍କଟ ନିଶା କବଳରେ ଯୁବ ପିଢ଼ି ପଡି ଅନେକ ଅପରାଧ ଘଟାଉଛନ୍ତି । ଏଣୁ ଏହି ନିଶା ବେପାରୀଙ୍କୁ ଧରିବା ପାଇଁ ପୋଲିସ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ସେପଟେ ଗିରଫ ନିଶା ବେପାରୀଙ୍କ ବିରୋଧ ପୋଲିସ କୋହଳ ଦଫା ଲଗାଉ ଥିବା ହେତୁ ଅନେକ ସମୟରେ ନିଶା ବେପାରୀ ସହଜରେ କୋର୍ଟରୁ ବେଲ ପାଇ ପୁଣି ନିଶା ବ୍ୟବସାୟ ଆରମ୍ଭ କରୁଛନ୍ତି । ଏଣୁ ଗିରଫ ନିଶା ବେପାରୀଙ୍କ ବିରୋଧରେ କଡା ଦଫା ଲଗାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ମତ ଦେଇଛନ୍ତି ଆଇନଜୀବି ।

ଏକ ମାସ ଭିତରେ ପୁରୀ ଜିଲ୍ଲା ପୋଲିସ ମୋଟ ଏକ କୋଟି 40 ଲକ୍ଷ 33 ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ମୋଟ 34 ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଗତ ମାସ 5 ତାରିଖରେ ବାସେଲି ସାହି ଥାନା ପୋଲିସ 8 ଜଣଙ୍କୁ ଗିରଫ କରି 27 ଲକ୍ଷ ଓ 22 ତାରିଖରେ 4 ଜଣଙ୍କୁ ଗିରଫ କରି 53 ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ସେହିପରି ଗତ 31 ତାରିଖରେ ସତ୍ୟବାଦୀ ଥାନା ପୋଲିସ 30 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ 5 ଜଣଙ୍କୁ ଗିରଫ କରିଥିଲା। ଚଳିତ ମାସ 8 ତାରିଖରେ ଚନ୍ଦନପୁର , କୁମ୍ଭାରପଡା, କାକଟପୁର, କୋଣାର୍କ ଥାନା ପୋଲିସ 82 ଲକ୍ଷ 80 ହଜାର ଟଙ୍କାର ବ୍ରାଉନସୁଗାର ଜବତ ସହ ମୋଟ 17 ଜଣଙ୍କୁ ଗିରଫ କରିଛି ।

ସେପଟେ ନିଶା କାରବାର ବିରୋଧରେ ପୁରୀ ଏସପି ଙ୍କ କାର୍ଯ୍ୟାନୁଷ୍ଠାନ ଅନେକ ସ୍ଵାଗତ କରିଥିଲେ ମଧ୍ୟ ଏହି ନିଶା ବେପାରୀଙ୍କ ସହ କେତେକ ଆସାଧୁ ଥାନା କର୍ମଚାରୀ ଙ୍କ ଆସାଧୁ ମେଣ୍ଟ ଥିବାରୁ ନିଶା କାରବାର ପୁରୀରେ ବେଧଡକ ଚାଲୁଥିବା ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଏଣୁ ନିଶା ବେପାରୀଙ୍କୁ ଗିରଫ ସଙ୍ଗେ ସଙ୍ଗେ ଏହି ନିଶା ବେପାରୀଙ୍କ ସହ ସମ୍ପର୍କ ରଖୁଥିବା ପୋଲିସ କର୍ମଚାରୀଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ ।

ପୁରୀରେ ନିଶା କାରବାରକୁ ରୋକିବା ପାଇଁ ଏସପି ଅଖିଲେଶ୍ୱର ସିଂଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ପୋଲିସ ବିଭାଗରେ ଢୋଲ ଭିତରେ ମୂଷା ସାଜି ଥିବା ଅସାଧୁ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନହେଲେ ଏହି ନିଶା ରୋକ ଅଭିଯାନ ସଫଳ ହେବା ସମ୍ଭାବନା କମ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details