ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବ ଦରବାରରେ ଅଧିକ ପ୍ରଚାର ଓ ପ୍ରସାର ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସଂସ୍କୃତି ପ୍ରଚାରକ, ବୁଦ୍ଧିଜୀବୀ ଓ ସେବାୟତଙ୍କ ଠାରୁ ମତାମତ ନିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ତେବେ ମହାପ୍ରଭୁ ସମସ୍ତ ଲୀଳା କ୍ଷେତ୍ର ଗୁଡିକର ବିକାଶ ସମେତ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ଆବଶ୍ୟକତା ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ ଜିଲ୍ଲାପାଳଙ୍କୁ ମତାମତ ଦେଇଛନ୍ତି । ପୁରୀକୁ ଆସୁଥିବା ଭକ୍ତ କିପରି ମହାପ୍ରଭୁଙ୍କ ଲୀଳା କ୍ଷେତ୍ର ଭ୍ରମଣ କରିପାରିବେ, ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଭ୍ରମଣ ପ୍ୟାକେଜ୍ ବ୍ୟବସ୍ଥା କରାଯିବାକୁ ମତାମତ ଦିଆଯାଇଛି ।
ସେହିପରି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ପ୍ରତ୍ୟେକ ଦିନ ପ୍ରବଚନ କାର୍ଯ୍ୟକ୍ରମ ନେଇ ମଧ୍ୟ ମତ ପ୍ରକାଶ ପାଇଛି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଭାଷାର ବିଶେଷଜ୍ଞଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଛି ।