ପୁରୀ: ପାଖେଇ ଆସୁଛି ନୂଆବର୍ଷ। ଏହାକୁ ସେଲିବ୍ରେଟ କରିବା ପାଇଁ ପୁରୀରେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢୁଛି। ତେବେ ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିଚାଲିଥିବାବେଳେ ପୁରୀକୁ ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକମାନେ ଆସୁଥିବାରୁ ଚିନ୍ତାରେ ପଡିଛି ପ୍ରଶାସନ। ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନକୁ ପ୍ରଶାସନ ବାରଣ କରିଛି ।
ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଫିଭର କ୍ଲିନିକ୍(Fever Clinic) ଖୋଲିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ତଥ୍ୟ ରଖାଯିବ । ସେହିପରି ଜିଲ୍ଲାରେ କୋଭିଟ ଟେଷ୍ଟିଂ ଓ ଟୀକାକରଣ ଅଭିଯାନ ଜୋରସୋରରେ କରାଯିବ କହିଛନ୍ତି CDMO ପ୍ରଣବ ଶଙ୍କର ଦାସ । ସେପଟେ ଓମିକ୍ରନ ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଭିଡ଼କୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରସନ ଉପରେ ରୋକ ଲଗାଯାଇଥିବା କହିଛନ୍ତି ଜିଲ୍ଲାପାଳ।
ଅନ୍ୟପଟେ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ଆଶଙ୍କା ଥିବାରୁ ପ୍ରଶାସନର SOP ଅନୁଯାୟୀ ଆସନ୍ତା ୩୧ରୁ ଜାନୁଆରୀ ୨ ତିନି ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କ ପ୍ରାୟତଃ ଡବଲ ଡୋଜ ଟୀକାକରଣ ସରିଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏପଟେ କୋଭିଡ଼ର ପ୍ରଥମ ଓ ଦ୍ବିତୀୟ ଲହର ପରେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ହୋଟେଲଗୁଡ଼ିକ ଭୟଭୀତ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ସହ ସରକାରଙ୍କ କୋଭିଡ଼ ନିୟମକୁ କଡ଼ାକଡି଼ ପାଳନ କରୁଥିବା କହିଛନ୍ତି ।