ପୁରୀ: ବଦଳିବ ପୁରୀ ସ୍ବର୍ଗଦ୍ବାରର ରୂପ ରେଖ । ଏନେଇ ସ୍ୱର୍ଗଦ୍ୱାରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଆଜି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ସ୍ୱର୍ଗଦ୍ୱାର ଯାଇ ନବୀକରଣ କାର୍ଯ୍ୟ ତଦାରଖ କରିଥିଲେ । ଏଥି ସହ ବାକିଥିବା କାର୍ଯ୍ୟ ଖୁବ ଶୀଘ୍ର ଓଡିଶା ସେତୁ ନିର୍ମାଣ ନିଗମ ଦ୍ୱାର ଶେଷ ହେବ ବୋଲି ମତପ୍ରକାଶ କରିଛନ୍ତି । ଫଳରେ ସ୍ୱର୍ଗଦ୍ୱାର ଆସୁଥିବା ଲୋକେ ସମସ୍ତ ପ୍ରକାର ସୁବିଧା ପାଇବେ ।
ତେବେ ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ 5 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଏବେ ସ୍ୱର୍ଗଦ୍ୱାର ରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି । ଶବ ଦାହ ପାଇଁ ଆସୁଥିବା ଵ୍ୟକ୍ତିଙ୍କ ପାଇଁ ପାନୀୟ ଜଳ , ଶୌଚାଳୟ , ରେଷ୍ଟ ରୁମ ସହିତ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ଗୋଟିଏ ସ୍ଥାନରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ସେପଟେ ଲୋକଙ୍କ ସୁବିଧା ପାଇଁ OMCର ଅନୁଦାନରୁ ଆଜି ଆଉ ଏକ ମହାପ୍ରୟାଣ ଗାଡିକୁ ସାମିଲ କରାଯାଇଛି ।