ପୁରୀ:ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡ଼ାର ହେବ ପୁନରୁଦ୍ଧାର ଓ ଉନ୍ନତିକରଣ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଜାଗା ଆଖଡାର ପରମ୍ପରା ତଥା ପାରମ୍ପରିକ କୁସ୍ତିକ୍ରୀଡାକୁ ପ୍ରୋତ୍ସାହିତ କରିବା ଏହାର ମୂଳ ଉଦ୍ଦେଶ୍ୟ । ପ୍ରଶାସନ ପକ୍ଷରୁ ଜାଗା ଆଖଡ଼ାର ଗୃହ, ପୋଖରୀ, ବ୍ୟାୟାମାଶାଳାର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ମୁଖ୍ୟତଃ ଜାଗା ଆଖଡା ଗୁଡ଼ିକୁ କୁସ୍ତି କ୍ରୀଡ଼ାର ପ୍ରମୁଖ କେନ୍ଦ୍ର କରାଯିବ। ଜାଗା ଆଖଡ଼ା ପ୍ରତି ପ୍ରଶାସନର ଏହି ପ୍ରୟାସକୁ ସ୍ବାଗତ କରିଛନ୍ତି ସହରବାସିନ୍ଦା ।
ଜାଗା ଆଖଡ଼ା ସହ ଶ୍ରୀମନ୍ଦିରର ବହୁ ପୁରୁଣା ସମ୍ପର୍କ ରହିଛି । ଏଥିପାଇଁ ପୁରୀର ପ୍ରମୁଖ ସାତ ସାହିରେ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଗଢି ଉଠିଥିଲା ଜାଗା ଆଖଡ଼ା ବା କୋଟ । ଜାଗା ଆଖଡ଼ା ଉପରେ ପୂର୍ବକାଳରେ ଶତ୍ରୁମାନଙ୍କ ନଜର ପଡ଼ିଥିଲା । ଏହି ସମୟରେ ଯୁବ ସେବାୟତମାନେ ମଲ୍ଲ ଓ କୁସ୍ତି ଆଦି ଶିକ୍ଷା ଲାଭ କରି ବାହ୍ୟ ଶତ୍ରୁ ଆକ୍ରମଣରୁ ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିଲେ ।
ଏହି କ୍ରମରେ ସହରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଜାଗା ଆଖଡ଼ା ବା କୋଟ ଗଢ଼ି ଉଠିଥିଲା । ତେବେ ଅର୍ଥ ଅଭାବ ଓ ପରିଚାଳନାଗତ ସମସ୍ୟା ଯୋଗୁଁ ହେତୁ ଏବେ ମାତ୍ର ହାତଗଣତି କେତୋଟି ଜାଗା ଆଖଡ଼ା ନିଜ ପରମ୍ପରାକୁ ବଜାୟ ରଖି ପାରିଛନ୍ତି।