ପୁରୀ: ଦ୍ବିତୀୟ ଲହରର ବିଭୀଷିକା ପରେ ଚିନ୍ତା ବଢାଇଛି ତୃତୀୟ ଲହର । ଏହି ଲହର ଶିଶୁଙ୍କ ପ୍ରତି ଅଧିକ ଘାତକ ହେବା ନେଇ ବିଶେଷଜ୍ଞମାନେ କହୁଥିବାରୁ ଲୋକଙ୍କ ଭିତରେ ଛନକା ପଶିଛି । ସେପଟେ ତୃତୀୟ ଲହର ନ ଆସୁଣୁ ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମଣ ବଢିବାରେ ଲାଗିଛି । ପୁରୀରେ କେବଳ ଗତ 10 ଦିନ ମଧ୍ୟରେ 19 ଜଣ ଶିଶୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ଏବେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ ।
କୋଭିଡ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଏବଂ ସଂକ୍ରମଣ ରୋକିବାକୁ ପୁରା ଦମ୍ ଲଗାଇଛି ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଇଡ଼ିଏଚ ହସ୍ପିଟାଲରେ ସ୍ବତନ୍ତ୍ର ବେଡ଼ ସହ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଆଇଡିଏଚ୍ ହସ୍ପିଟାଲରେ ଶିଶୁମାନଙ୍କ ଚିକିତ୍ସା ଲାଗି ୪୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ଡିଏଚଏଚରେ ଆଇସୋଲେସନ ସହ ୧୬ଟି ବେଡ୍ ବ୍ୟବସ୍ଥା କରାଯାଇଛି । ଏଥିସହ ସମସ୍ତ ଡାକ୍ତରମାନଙ୍କୁ ଅନଲାଇନ ମାଧ୍ୟମରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ ଟ୍ରେନିଂ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।