ପୁରୀ: ଜିଲ୍ଲାର ପ୍ରାଚୀନ ପୋଲ ବା ଐତିହାସିକ ସ୍ଥଳୀ ଅଠରନଳା । ଯାହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । ୨୦୨୧ ନୂତନ ବର୍ଷରେ ରଙ୍ଗୀନ୍ ଆଲୋକ ମାଳାରେ ପୁରୀର ପ୍ରବେଶ ଦ୍ୱାର ତଥା ଐତିହ୍ୟ ସ୍ମାରକୀ ଅଠରନଳା ଝଲସି ଉଠିଥିବାବେଳେ ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଦିନେ ପିଲାଠୁ ବୟସ୍କ ସମସ୍ତେ ଏଠାରେ ସେଲଫି ନେବା ସହ ସେଲଫି ପଏଣ୍ଟ ନାଁରେ ଏହାର ନାମକରଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ସ୍ଥାନରେ ପାଦ ମଧ୍ୟ ପକାଇବାକୁ ଲୋକେ ମନବଳାଉ ନାହାଁନ୍ତି ।
ନୂଆ ବର୍ଷରେ ଏହାର ସୌନ୍ଦର୍ଯ୍ୟ କରଣ କରାଯାଇ ରଙ୍ଗୀନ ଆଲୁଅରେ ଝଲସି ଉଠୁଥିଲା ଶ୍ରୀକ୍ଷେତ୍ରର ଏହି ପ୍ରବେଶ ଦ୍ବାର । ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଦେଖି ସହରବାସୀ, ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ବେଶ ଖୁସି ପ୍ରକଟ ମଧ୍ୟ କରିଥିଲେ । କିନ୍ତୁ ଏହି ଖୁସି ମାତ୍ର ବେଶୀଦିନ ପାଇଁ ରହିନଥିଲା । କିଛି ଦିନ ପରେ ପୁଣି ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା ଅଠରନଳା । ଏବେ ପାଣି ଭିତରେ କୁଢ଼ କୁଢ଼ ଦଳ ଓ ଅଳିଆ ଆବର୍ଜନା ଭାସୁଥିବା ବେଳେ ଗଛର ପତ୍ର ସବୁ ଶୁଖିଗଲାଣି। କେବଳ ସେତିକି ନୁହେଁ ଅଚଳ ଅବସ୍ଥାରେ ଜଳଫୁଆର ମଧ୍ୟ ପଡ଼ିରହିଛି । ସୌନ୍ଦର୍ଯ୍ୟକରଣ ନାଁରେ ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ ଫେଲ ମାରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।