ପୁରୀ:ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାରି ରହିଛି ସରକାରଙ୍କ ଉଦ୍ୟମ । ପ୍ରସ୍ତୁତ ହୋଇଥିବା ନୀଳ ନକ୍ସାକୁ ବାସ୍ତବ ରୂପ ଦେବାପାଇଁ ଚାଲିଛି ଗୋଟିଏ ପରେ ଗୋଟିଏ କାମ । ବହୁ ପ୍ରତିକ୍ଷିତ ଶ୍ରୀସେତୁ ପ୍ରକଳ୍ପ (Shree setu Project Puri ) ପାଇଁ ଜମି ଅଧିଗ୍ରହଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ ହୋଇଛି ।
ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ପୁନଃବାର୍ସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି (Public Hearing) ଅନୁଷ୍ଠିତ ହୋଇଛି ।
ଆଜି ପୁରୀ ଉପ-ଜିଲ୍ଲାପାଳ ତଥା ପ୍ରଶାସକ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ହୋଇଥିଲା । ପୁନର୍ବାସ ଓ ଥଇଥାନ ଯୋଜନା ପାଇଁ ପ୍ରସ୍ତୁତ ଚିଠା ଜମି ପ୍ରଦାନରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ । ସଂପୃକ୍ତ ଜମିର କୃଷି ଶ୍ରମିକ ମାନଙ୍କ ନିମନ୍ତେ ଦୈନିକ ୩୧୫ ଟଙ୍କା ହିସାବରେ ଦୁଇ ଶହ ଦିନ ପାଇଁ ୬୩ ହଜାର ଟଙ୍କା, କ୍ଷୁଦ୍ର ଦୋକାନୀ, କାରିଗର ଓ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ୨୫ ହଜାର ପ୍ରଦାନର ବ୍ୟବସ୍ଥା ରହିଛି ।