ପୁରୀ: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଆରମ୍ଭ ହେଲା ଚାପ ଡ଼ଙ୍ଗା ମରାମତି । ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ । ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଚିତ୍ରକର ସେବାୟତମାନେ ରଙ୍ଗ କାର୍ଯ୍ୟରେ ଲାଗିପଡି ଥିବାବେଳେ ଚନ୍ଦନ ଯାତ୍ରା ପାଇଁ ବ୍ୟବହୃତ ହେବାକୁ ଥିବା ଡଙ୍ଗାର ମରାମତି କାର୍ଯ୍ୟ ଆଜି(ଶନିବାର)ଠାରୁ ମହାରଣା ସେବାୟତମାନେ ଆରମ୍ଭ କରିଛନ୍ତି ।
ଚନ୍ଦନଯାତ୍ରା: ଚାପଡଙ୍ଗା ମରାମତି ଆରମ୍ଭ, ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସର ମକଡ୍ରିଲ୍ - ଚନ୍ଦନଯାତ୍ରା ପାଇଁ ପୋଲିସର ମକଡ୍ରିଲ
ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଆରମ୍ଭ ହେଲା ଚାପଡ଼ଙ୍ଗା ମରାମତି । ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ । ଅଧିକ ପଢନ୍ତୁ
ସେପଟେ ଚନ୍ଦନ ଯାତ୍ରାକୁ ନେଇ ଭକ୍ତଙ୍କ ମହଲରେ ବେଶ ଉତ୍କଣ୍ଠା ରହିଛି । ଗତ ଦୁଇ ବର୍ଷ କୋଭିଡ କଟକଣା ପାଇଁ ଭକ୍ତମାନେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଦର୍ଶନରୁ ବଞ୍ଚିତ ହୋଇଥିଲେ । ହେଲେ ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ ଭକ୍ତ ମହଲରେ ଆନନ୍ଦର ଲହରି ଖେଳିଯାଇଛି । ମେ' ତିନି ତାରିଖରେ ଆରମ୍ଭ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ସେବାୟତମାନେ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତେବେ ଏହି ଦିନ ସକାଳ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବା ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠର ଅନୁକୂଳ ହେବ ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ମକଡ୍ରିଲ କରାଯାଇଛି । ଦୁଇ ବର୍ଷ ହେବ ଭକ୍ତ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିବାରୁ ଏଥର ଦୁଇଗୁଣା ଭକ୍ତଙ୍କ ସାମିଲ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । କୌଣସି ଭକ୍ତ ହଠାତ୍ ଅସୁସ୍ଥ କିମ୍ବା ଅଚେତ ହୋଇପଡିଲେ ତାଙ୍କୁ ତୁରନ୍ତ କିଭଳି ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ସେନେଇ ଏସପି କନୱର ବିଶାଳ ସିଂଙ୍କ ତତ୍ତ୍ଵାବଧାନରେ ଏହି ମକଡ୍ରିଲ ଚାଲିଛି । ତେବେ ନିୟମିତ ଭାବେ ଏହି ବ୍ୟବସ୍ଥାର ଅନୁଧ୍ୟାନ କରାଯିବ ବୋଲି ଏସପି କନୱର ବିଶାଳ ସିଂ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ