ପୁରୀ: ଗାନ୍ଧୀ ଜୟନ୍ତୀ ଠାରୁ ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନିଷିଦ୍ଧ କରାଯାଇଛି। ପୁରୀ ତଥା ସାରା ଜିଲ୍ଲାରେ ଏହି ନିୟମ କିଭଳି କଡାକଡି କରାଯାଇ ପାରିବ ସେନେଇ ପୁରୀ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଛନ୍ତି।
ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସୂଚନା ଅନୁଯାୟୀ, ମୁଖ୍ୟତଃ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପଦାର୍ଥ ବର୍ଜନ ନେଇ ଜନ ସଚେତନତା, ପ୍ଲାଷ୍ଟିକ ପଦାର୍ଥର ବିକଳ୍ପ ବ୍ୟବହାର ଓ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ମୁଖ୍ୟତଃ ଗୁରୁତ୍ବ ଦେଉଛି।
ପ୍ରତି ପଞ୍ଚାୟତରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନକରିବା ନେଇ ସଭା ବୈଠକ ଅନୁଷ୍ଠିତ ହେବ। ଯେଉଁ ପଞ୍ଚାୟତ ପ୍ଲାଷ୍ଟିକ ବର୍ଜନ କରିବାରେ ଆଗରେ ରହିବ ସ୍ବାଧୀନତା ଦିବସରେ ଉକ୍ତ ପଞ୍ଚାୟତକୁ ପୁରସ୍କାର ଦିଆଯିବ। ସେହିଭଳି ଛାତ୍ରଛାତ୍ରୀ, ଅଙ୍ଗନାବାଡି କର୍ମୀ, ସ୍ବେଚ୍ଛାସେବୀଙ୍କୁ ନେଇ ପ୍ରତେକ ପରିବାରରେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ନକରିବାକୁ ସଚେତନ କରାଯିବ । ଏନେଇ ବିଭିନ୍ନ ବିଜ୍ଞାପନ ମଧ୍ୟ ଦିଆଯିବ।