ପୁରୀ: ପିପିଲି ଉପନିର୍ବାଚନ ନେଇ ଚାଲିଛି ଘମାଘୋଟ ପ୍ରଚାର । ରବିବାର ବିଜେଡି ଦଳ ପକ୍ଷରୁ ପିପିଲି କୁଳଶେଖର ପାଟଣାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅୟୋଜନ କରାଯାଇଥିବା ବେଳେ ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳରୁ ସ୍ଥାନୀୟ ନେତା ଓ କର୍ମୀମାନେ ମାନେ ବିଜେଡିରେ ମିଶିଛନ୍ତି । ସେହିପରି ବିଜେଡିର ଷ୍ଟାର ନେତା ମାନେ ମଧ୍ୟ ପ୍ରତି ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ ଜାରି ରଖିଛନ୍ତି । ସେପଟେ ପିପିଲି ଡେଲାଙ୍ଗରେ ବିଜେପି ପାଇଁ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ବିଶେଷ କରି ଆବାସ ଯୋଜନାରେ ଶାସକ ଦଳର ଦୁର୍ନୀତି, କୃଷକଙ୍କୁ ଅବହେଳା, ମହିଳାଙ୍କ ପ୍ରତି ନିର୍ଯାତନା ବୃଦ୍ଧି ଓ ରାସ୍ତାଘାଟ ଭଳି ସମସ୍ୟାକୁ ନେଇ ବିଜେପି ବିଜେଡି ବିରୋଧରେ ପ୍ରଚାର ଚଳାଇଛି ।
ତେବେ ଦୀର୍ଘ ବର୍ଷ ହେବ ପିପିଲି ନିର୍ବାଚନ ମଣ୍ଡଳୀର ଲୋକେ ଯେଉଁଭଳି ଅବହେଳିତ ଅବସ୍ଥାରେ ଅଛନ୍ତି ଚଳିତ ଉପନିର୍ବାଚନରେ ଶାସକ ବିଜେଡିକୁ ଭୋଟର ମାନେ ଉପଯୁକ୍ତ ଜବାବ ଦେବେ ବୋଲି ପ୍ରତାପ ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ କଂଗ୍ରେସ ବିଜେଡିର ପ୍ରଚାରକୁ ବିରୋଧ କରିବା ସହ କୋଭିଡ କଟକଣାକୁ ଉଲ୍ଲଘଂନ କରି ଶତାଧିକ କର୍ମୀଙ୍କୁ ନେଇ ଯେଭଳି ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛି ପୁଣି ପିପିଲିରେ କୋଭିଡ କାୟା ବିସ୍ତାର କରିବ ବୋଲି କଂଗ୍ରେସ କହିଛି ।