ପୁରୀ:ପୋଲିସର ମୁଣ୍ଡ ବିନ୍ଧା ସାଜିଥିବା ଜାତୀୟ ରାଜପଥ ଲୁଟେରା ଗିରଫ । ପୁରୀ ଜିଲ୍ଲା ପିପିଲି ବାଇପାସ (Puri District Pipili Bypass) ଜାତୀୟ ରାଜପଥ ବାରମ୍ବାର ଲୁଟ ଘଟଣାରେ ପୋଲିସର ମୁଣ୍ଡ ବିନ୍ଧା କାରଣ ସାଜିଥିବା ଡକାୟତ ଗ୍ୟାଙ୍ଗ କୁ ଧରିବାରେ ପିପିଲି ପୋଲିସ ସଫଳ ହୋଇଛି।
ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ ଜଣକୁ ଗିରଫ କରିଛି ପିପିଲି ପୋଲିସ। ମାରଣାସ୍ତ୍ର ସହିତ ଲୁଟ ଜିନିଷକୁ ଜବତ କରିଥିବା ପିପିଲି ଥାନା ପୋଲିସ ଆଜି (ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି SDPO ଦେବଦତ୍ତ ବରାଳ ।
ଗିରଫ ସମସ୍ତ ଅପରାଧି ହେଲେ ମହମ୍ମଦ ଅରମାନ ଓରଫ ଅରମାନ ସା (୨୦), ରୁଦ୍ରନାରାୟଣ ସ୍ବାଇଁ ଓରଫ ବାବୁ(୧୯) ଓ ଆବାସ ସା ଓରଫ ଅବୁ (୨୩)କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ମାନେ ପେଷାଦାର ଅପରାଧୀ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅରମାନ ନାମରେ ପୂର୍ବରୁ ପିପିଲି, ଡେଲାଙ୍ଗ ଓ କାକଟପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।
SDPO ଦେବଦତ୍ତ ବରାଳଙ୍କ ସୂଚନା ଅନୁସାରେ ଗତ 27 ତାରିଖରେ ୬ ଜଣ ଦୁର୍ବୁତ୍ତ ୨ ଟି ମୋଟର ସାଇକେଲରେ ଆସି ପିପିଲି ୩୧୬ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଓ ଭୋଗୁଆବାଙ୍କରୁ ୨ ଜଣ ବ୍ୟକ୍ତିଙ୍କ ଠାରୁ ଛୁରୀ ଦେଖାଇ ୨ ଟି ଦାମୀ ମୋବାଇଲ ଫୋନ ୨ ହଜାର ଟଙ୍କା ଓ ଗୋଟିଏ ରୁପା ବ୍ରେସଲେଟ ଲୁଟି ନେଇଥିଲେ।