ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ । ଓଡିଶାର ଧର୍ମୀୟ ଭାବନା ସହ ଜଡିତ କାର୍ତ୍ତିକ ପୂର୍ଣ୍ଣିମା । ଏ ନେଇ ଚଳ ଚଞ୍ଚଳ ହୋଇଛି ଗାଁଠୁ ସହର । ଏହି ଅବସରରେ ପୁରୀ ସମୁଦ୍ର କୂଳରେ ହବିଷ୍ୟାଳିମାନେ ବାଲୁକା ପୂଜା କରିଛନ୍ତି । ପବିତ୍ର ମହୋଦଧି ଜଳ ସିଞ୍ଚନ କରି ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଶେଷ କରିଛନ୍ତି ।
କାର୍ତ୍ତିକ ବ୍ରତ ପାଇଁ ଆଜି ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗାରେ ପାନ ଗୁଆ ଚାଉଳ ଦୀପ ରଖି ଭସାଇଛନ୍ତି । ବିଶ୍ବାସ ରହିଛି ଏଥିପାଇଁ ପୁଣ୍ୟ ମିଳିଥାଏ। ସେପଟେ ଓଡିଶାର ପରମ୍ପରା ଅନୁଯାୟୀ ଆଜି ପୁରୀବାସୀମାନେ ମଧ୍ୟ କଦଳୀ ପାଟୁଆ , କାଗଜ ଡଙ୍ଗା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ରରେ ଭସାଇଛନ୍ତି। ଏହି ସମୟରେ ଉତ୍ସାହର ସହ 'ଆ କା ମା କୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର' ଗୀତ ଗାଇଥାନ୍ତି ।