ପୁରୀ:ଆଜି ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ । ମର୍ତ୍ତ୍ୟମଣ୍ତଳକୁ ଆସିଥିବା ପିତୃ ପୁରୁଷମାନେ ଆଜି ସ୍ବର୍ଗଲୋକକୁ ବିଦାୟ ନେଉଥିବାରୁ ଶ୍ରୀକ୍ଷେତ୍ରରେ ପିଣ୍ତଦାନର ପରମ୍ପରା ରହିଛି । କୋରୋନା କଟକଣା ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ଆସିବା ମନା ଥିବାବେଳେ ପୁରୀ ବାସିନ୍ଦାମାନେ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ସାମାଜିକ ଦୂରତା ରଖି କେଵଳ ଶ୍ରାଦ୍ଧ କର୍ମ କରିଛନ୍ତି ।
ଶ୍ରୀମନ୍ଦିର ଆଗରେ ବଡ଼ ବଡୁଆ ଡାକ ଏବଂ କାଉଁରିଆ କାଠି ଜାଳିବା ନିଷେଧ କରାଯାଇଛି । ବଡ଼ ବଡ଼ୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ । ଆଜି ପବିତ୍ର ଦୀପାବଳୀ ଅମାବାସ୍ୟା ତିଥିରେ ପ୍ରଦୀପ ପ୍ରଜ୍ବଳନ ସହ ପିତୃ ପୁରୁଷଙ୍କୁ ବିଦାୟ ଦେବାର ବେଳ । ତେବେ କୋଭିଡ ନିୟମ ଓ ପ୍ରଶାସନର କଟକଣା ଯୋଗୁଁ ଶ୍ରୀମନ୍ଦିର ସମ୍ମୁଖରେ ଆଜି ଶ୍ରଦ୍ଧାଳୁଙ୍କ ମୁହଁରୁ ଶୁଣିବାକୁ ମିଳିନଥିଲା ବଡବଡୁଆ ଡାକ ।