ପୁରୀ:ସାନ ସିନା ହେଲେ ଦାନ ତା ମହାନ । ସପ୍ତମ ଶ୍ରେଣୀର ଛାତ୍ର ଶୁଭମ ଚକ୍ଷୁଦାନ କରି ଏବେ ଚର୍ଚ୍ଚାରେ । ତେବେ ସେ ଆଉ ଦୁନିଆରେ ନାହାନ୍ତି ସତ କିନ୍ତୁ ତାର କୁନି ଆଖିରେ ଏବେ ଆଉ ଜଣେ ଦୁନିଆ ଦେଖିବ । ବିଷାକ୍ତ ସରୀସୃପ କାମୁଡ଼ାରେ ଶୁଭମ ମଲ୍ଲିକଙ୍କ ମୃତ୍ୟୁ ପରେ ତାଙ୍କ ବାପା ମାଆ ତାଙ୍କର ଚକ୍ଷୁଦାନ କରିଛନ୍ତି । ଶୁଭମ ଆଜି ଦୁନିଆରେ ନାହିଁ ସତ ହେଲେ ତାର ଦୁଇଟି ଆଖିରେ ଆଉ ଜଣେ ଦୁନିଆ ଦେଖିବ ।
୧୨ ବର୍ଷ ବୟସରେ ଚାଲିଗଲା ଜୀବନ, ଚକ୍ଷୁଦାନ କଲେ ବାପା ମାଆ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଶୁଭମ ମଲ୍ଲିକ, ବୟସ ମାତ୍ର ୧୨ ବର୍ଷ । ସେ ଦାଣ୍ଡମୁକୁନ୍ଦପୁର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଜଣେ ମେଧାବୀ ଛାତ୍ର ଭାବରେ ସେ ସମସ୍ତଙ୍କ ପ୍ରିୟ ଥିଲେ । ଗତ ୧୩ ତାରିଖ ଦିନ ସେ ସ୍କୁଲରୁ ଫେରିବା ପରେ ରାତିରେ ମଧ୍ୟ ଘରେ ପାଠ ପଢିଥିଲେ । ପଢା ସରିବା ପରେ ରାତିରେ ସେ ତାଙ୍କ ମାଆଙ୍କ ପାଖରେ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ ତାଙ୍କ ମୁଣ୍ଡବୁଲାଇବା ସହ ପେଟ କାଟୁଥିବା ସେ ମାଆଙ୍କୁ କହିଥିଲେ ।
ଏହା ମଧ୍ୟ ପଢନ୍ତୁ:ମାଟିରେ ମିଶିଲା କିଶୋର ଭାଇନା ମଟନ ହୋଟେଲ, ରୋଜଗାର ହରାଇ ଚିନ୍ତାରେ କର୍ମଚାରୀ
ପରିବାର ଲୋକେ ତାଙ୍କୁ ପ୍ରଥମେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଶୁଭମଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା । ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତିରେ ବିଷାକ୍ତ ସର୍ପ ଦଂଶନରେ ଏଭଳି ଅକାଳ ବିୟୋଗ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।
ପୁଅର ଅକାଳ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ଶୁଭମକୁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସାରା ପରିବାର । ତେବେ ଆଜି ଶୁଭମଙ୍କ ଚକ୍ଷୁଦାନ କରି ଏକ ମହତ କାମ କରିଛନ୍ତି ତାଙ୍କ ବାପା ମାଆ । ପୁଅ ଆଖିରେ ଆଉ ଜଣେ ଦୁନିଆ ଦେଖିବ ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ସ୍କୁଲରେ ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଶୋକ ଦିବସ ପାଳନ କରି ଶୁଭମ ପାଇଁ ଗର୍ବିତ ବୋଲି କହିଛନ୍ତି । ଏନେଇ ଶୁଭମଙ୍କ ଜଣେ ସହପାଠୀ କହିଛନ୍ତି ଯେ, ''ଆମେ ଏକାଠି ଖେଳୁ, ଏକାଠି ବସୁ, ସବୁଦିନ ଆମେ ମିଶିକି ଖେଳୁ, ସେ ବହୁତ ଭଲ ପାଠ ମଧ୍ୟ ପଢେ, ଶୁଭମ ଗଲା ପରେ ଆମେ ବହୁତ ଦୁଃଖୀ, ତା କଥା ଆଜି ବହୁତ ମନେପଡୁଛି ।''
ଇଟିଭି ଭାରତ, ପୁରୀ