ପୁରୀ: ରଥଯାତ୍ରା ଓ ସ୍ନାନଯାତ୍ରାବେଳେ ହେଉଥିବା ଶ୍ରୀଜୀଉଙ୍କୁ ପହଣ୍ଡି ନୀତି ଦେଖିବାକୁ ଭକ୍ତର ମନ ସର୍ବଦା ହୁଏ ବ୍ୟାକୁଳ । ଘଣ୍ଟଘଣ୍ଟା, ପାରମ୍ପରିକ ବାଦ୍ୟ ଯନ୍ତ୍ର, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ ପରିବେଶ । ଆଉ ତାରି ଭିତରେ ଟାହିଆ ହଲାଇ ଭାଇ ଭଉଣୀଙ୍କ ସହ ଆସନ୍ତି କାଳିଆ ସାଆନ୍ତ । ମହାପ୍ରଭୁଙ୍କର ଏହି ବିଶେଷ ନୀତି ହୋଇଥାଏ ଦୁଇ ପ୍ରକାରର । ପ୍ରଥମଟି ଧାଡ଼ି ପହଣ୍ଡି ଓ ଦ୍ବିତୀୟଟି ହେଉଛି ଗୋଟି ପହଣ୍ଡି । ଶ୍ରୀଜୀଉଙ୍କ ରଥ ଉପରକୁ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ସମୟରେ ହୋଇଥାଏ ଗୋଟି ପହଣ୍ଡି । ଠାକୁର ମାନଙ୍କୁ ଧାଡ଼ିରେ ପହଣ୍ଡି କରି ଆଣିବାକୁ ଧାଡ଼ି ପହଣ୍ଡି କୁହାଯାଉଥିବା ବେଳେ ଗୋଟିଏ ଠାକୁରଙ୍କୁ ଆସ୍ଥାନରେ ପହଞ୍ଚାଇବା ପରେ ଅନ୍ୟ ଜଣେ ଠାକୁରଙ୍କୁ ପହଣ୍ଡି କରି ଆଣିବାକୁ ଗୋଟି ପହଣ୍ଡି କୁହାଯାଏ ।
ଗୋଟିଏ ବର୍ଷରେ ମହାପ୍ରଭୁଙ୍କର ସର୍ବ ମୋଟ ଛଅ ଥର ପହଣ୍ଡି ହୋଇଥାଏ । ଏଧି ମଧ୍ୟରୁ ତିନି ଥର ଧାଡ଼ି ପହଣ୍ଡି ଓ ତିନି ଥର ହୁଏ ଗୋଟି ପହଣ୍ଡି । ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନବେଦୀକୁ, ଶ୍ରୀଗୁଣ୍ଡିଚା ଦିନ ରଥକୁ ଏବଂ ବାହୁଡ଼ା ଦିନ ଗୁଣ୍ଡିଚା ମନ୍ଦିରରରୁ ରଥ ଉପରକୁ ଆସିବା ବେଳେ ଧାଡ଼ି ପହଣ୍ଡିରେ ଠାକୁର ମାନେ ବିଜେ କରୁଥିବା ବେଳେ ସ୍ନାନବେଦୀରୁ ଅଣସର ପିଣ୍ଡିକୁ, ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଏବଂ ନୀଳାଦ୍ରିବିଜେ ଦିନ ଠାକୁରମାନେ ରତ୍ନସିଂହାସନକୁ ବିଜେ କରିବା ଅବସରରେ ଗୋଟି ପହଣ୍ଡି ହୋଇଥାଏ ।
ପହଣ୍ଡି ଶବ୍ଦଟି ସଂସ୍କୃତ ଶବ୍ଦ ପଦ ହୁଣ୍ଡନ ଶବ୍ଦରୁ ସୃଷ୍ଟି ବୋଲି ଅନୁମାନ କରାଯାଏ। ପଦର ଅର୍ଥ ପାଦ ହୁଣ୍ଡନ ଅର୍ଥ ଭ୍ରମଣ । ତେଣୁ ପହଣ୍ଡିର ଆଭିଧାନିକ ଅର୍ଥ ପାଦରେ ଭ୍ରମଣ । ବିଜେ ଶବ୍ଦଟି ବିଜୟ ଶବ୍ଦରୁ ସୃଷ୍ଟ । ଦେବତା ଓ ରାଜାଙ୍କର ଗତିଶୀଳତାକୁ ବିଜୟ ବୋଲି କୁହାଯାଏ । ପ୍ରଭୁ ସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କୁ ଦଇତାପତି ଓ ଅନ୍ୟ ସେବକମାନେ କାନ୍ଧରେ ପହଣ୍ଡି ବିଜେ କରାଇଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ବଳଭଦ୍ରଙ୍କୁ ସେବକମାନେ ପାଟ ଡୋରିରେ ବାନ୍ଧି ଝୁଲାଇ ଝୁଲାଇ କରାନ୍ତି ପହଣ୍ଡି ବିଜେ । ଶ୍ରୀଜୀଉଙ୍କ ମଙ୍ଗଳାର୍ପଣ ନୀତି ପରେ ଏହି ପହଣ୍ଡି ନୀତି ଆରମ୍ଭ ହୋଇଥାଏ। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ପହଣ୍ଡି ପାଇଁ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଠାକୁରମାନଙ୍କର ମସ୍ତକରେ ଲାଗି ପାଇଁ ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପତିଆରେ ପ୍ରସ୍ତୁତ ଟାହିୟା ଦିଆଯାଏ । ସେହିପରି କେତେକ ମଠ ପକ୍ଷରୁ ପହଣ୍ଡି ସମୟରେ ଠାକୁରମାନଙ୍କ ଠାରେ ପନ୍ତି ଭୋଗ କରାଯିବା ସହ କରାଯାଏ ଆଲଟ, ଚାମର ସେବା ।
ଶ୍ରୀକ୍ଷେତ୍ରରେ କେଉଁ ପ୍ରାଚୀନ କାଳରୁ ଶ୍ରୀବିଗ୍ରହଙ୍କର ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେବି ଅଜ୍ଞାତ । ଶ୍ରୀବିଗ୍ରହ ମାନଙ୍କର ପହଣ୍ଡି ବିଜେରୁ ଉତ୍କଳୀୟ ସଂସ୍କୃତିର ମହାନତାର ପରିଚୟ ମିଳେ। ଅତୀତରେ ବହୁ ଭକ୍ତ, କବି ଗଣ ଠାକୁରଙ୍କ ଏହି ପବିତ୍ର ପହଣ୍ଡି ଦର୍ଶନ ପୂର୍ବକ ଭାବ ବିହ୍ଵଳିତ ହୋଇ ଅନେକ, ଭଜନ, ଜଣାଣ, ସ୍ତୋତ୍ର ରଚନା କରି ନିଜକୁ ପ୍ରଭୁ ପାଦ ତଳେ ସମର୍ପି ଦେଇ ଥିବାର ନଜିର ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ