ପୁରୀ :ରଥଯାତ୍ରା ଦେଖାଇ ଆଣିଥିବା ପୁଅ ନିଜ ବୃଦ୍ଧ ବାପାକୁ ବଡ ଦାଣ୍ଡରେ ଛାଡି ଚାଲିଯିବା ଘଟଣା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବୃଦ୍ଧଙ୍କୁ ନେଲେ ପରିବାର ଲୋକେ । ରଥଯାତ୍ରା ଦେଖିବାକୁ ଆସିଥିବା ଗଞ୍ଜାମ ଛତ୍ରପୁରର ଜଣେ ବୟସ୍କ ବ୍ୟକ୍ତି ବ୍ରଜବନ୍ଧୁ ନାୟକଙ୍କୁ ତାଙ୍କ ପୁଅ ବଡ ଦାଣ୍ଡରେ ଛାଡି ଚାଲିଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ଆସି ପହଞ୍ଚିଛନ୍ତି ପୁରୀ ମେଡିକାଲରେ ।
ବାପାଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି କହିଛନ୍ତି ପୁଅ । ବଡ଼ଦାଣ୍ଡରେ ବାପା ଙ୍କୁ ଛାଡି ଚାଲିଯିବା ଘଟଣା ନେଇ ଯେଉଁ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସମ୍ପୂର୍ଣ ଭୁଲ ବୋଲି କହିଛନ୍ତି ପୁଅ । ବ୍ରଜବନ୍ଧୁଙ୍କ ବଡ ପୁଅ ଶିବରାମ କହିଛନ୍ତି ଗତ ବାହୁଡା଼ରେ ତାଙ୍କ ସାନ ଭାଇ ସମୀର ବାପାଙ୍କୁ ଧରି ପୁରୀ ଆସିଥିବା ବେଳେ ଗୁଣ୍ଡିଚା ମନ୍ଦିର ନିକଟରେ ଏକ ମଠରେ ରହିଥିଲେ । ତେବେ ସକାଳୁ ବାପା ବ୍ରଜବନ୍ଧୁ ନାଏକ ଶୌଚ ହେବା ପାଇଁ ଆସି କୁଆଡେ ପଳାଇ ଥିଲେ । ବାପାଙ୍କ ବୟସ 65 ବର୍ଷ ଓ ତାଙ୍କର ସ୍ମରଣ ଶକ୍ତି କମ ରହିଛି ବୋଲି ପୁଅ କହିଛନ୍ତି । ଫଳରେ ବ୍ରଜବନ୍ଧୁ ମଠକୁ ନ ଆସି ପୁରୀର ମାଳତୀ ପାଟପୁର ଚାଲିଚାଲି ପଳାଇ ଥିଲେ ।