ଓଡିଶା

odisha

ETV Bharat / city

ପୁରୀ ମାଟିର ପୁଅ ଈଶ୍ବରଙ୍କୁ ଜାତୀୟ ପୁରସ୍କାର, ଶିକ୍ଷାକୁ କରିଛନ୍ତି ଜୀବନର ବ୍ରତ

ଶିକ୍ଷା ପ୍ରତି ସତେ ଯେପରି ସେ ସମର୍ପିତ । ନିଃସର୍ତ୍ତରେ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଚାଲିଛନ୍ତି ଜ୍ଞାନର ଆଲୋକ । ଏକଥା ଆମେ କହୁନାହୁଁ, ତାଙ୍କ ସଫଳତା କହୁଛି । ସେଥିପାଇଁ ତ ଆସନ୍ତା ସେପ୍ଟେମ୍ବର ୫ ତାରିଖ ତଥା ଗୁରୁ ଦିବସରେ ସେ ପାଇବାକୁ ଯାଉଛନ୍ତି ଜାତୀୟ ଶିକ୍ଷକ ପୁରସ୍କାର । ଚଳିତ ବର୍ଷ ଏକମାତ୍ର ଓଡ଼ିଆ ଶିକ୍ଷକ ଭାବେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସମ୍ମାନ ଗ୍ରହଣ କରିବେ ପୁରୀ ମାଟିର ପୁଅ ଈଶ୍ବର ଚନ୍ଦ୍ର ନାୟକ । ଦେଖନ୍ତୁ ଏହି ରିପୋର୍ଟ

ପୁରୀ ମାଟିର ପୁଅ ଈଶ୍ବରଙ୍କୁ ଜାତୀୟ ପୁରସ୍କାର, ଶିକ୍ଷାକୁ କରିଛନ୍ତି ଜୀବନର ବ୍ରତ
ପୁରୀ ମାଟିର ପୁଅ ଈଶ୍ବରଙ୍କୁ ଜାତୀୟ ପୁରସ୍କାର, ଶିକ୍ଷାକୁ କରିଛନ୍ତି ଜୀବନର ବ୍ରତ

By

Published : Aug 29, 2022, 8:42 PM IST

ପୁରୀ: ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ବର ଚନ୍ଦ୍ର ନାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସେପ୍ଟେମ୍ବର 5 ତାରିଖ ଗୁରୁଦିବସରେ ସେ ଗ୍ରହଣ କରିବେ 'ଜାତୀୟ ଶିକ୍ଷକ ପୁରସ୍କାର'(Iswar Chandra Nayak to Recieve National Awards) । ଚଳିତ ବର୍ଷ ସେ ଏକମାତ୍ର ଶିକ୍ଷକ ଭାବେ ଓଡିଶାରୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଜିଲ୍ଲାର ନିମାପଡା ବ୍ଲକ ବାଙ୍ଗୁରୁସ ପାଟଣାରେ ଈଶ୍ବରଙ୍କ ଘର । ସେ ଏବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନପୁରରେ ଶିକ୍ଷକତା କରୁଛନ୍ତି । ନିଷ୍ଠାପର, ନିଆରା ଢଙ୍ଗରେ ଶିକ୍ଷାଦାନ ଏବଂ ନିଜର ଦକ୍ଷତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଈଶ୍ବର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଚଳିତ ବର୍ଷ ଭାରତର ବିଭିନ୍ନ ରାଜ୍ୟରୁ ମୋଟ 46 ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବାବେଳେ, ଓଡିଶାରୁ ଈଶ୍ବର ଏକମାତ୍ର ଶିକ୍ଷକ ଭାବେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଈଶ୍ୱର ଆଗାମୀ ପିଢ଼ିର ଶିକ୍ଷକଙ୍କୁ ବାର୍ତ୍ତା ଦେଇଛନ୍ତି ଆଦରର ସହ ଏବଂ କିଛି ନିଆରା ଢଙ୍ଗରେ ପାଠ ପଢାଇଲେ ଆମେ ଶିକ୍ଷକତାର ମଜା ନେଇ ପାରିବା ସହ ଛାତ୍ରଛାତ୍ରୀଙ୍କ ପାଠପଢାରେ ଆଗ୍ରହ ବଢିବ ।

ପୁରୀ ମାଟିର ପୁଅ ଈଶ୍ବରଙ୍କୁ ଜାତୀୟ ପୁରସ୍କାର, ଶିକ୍ଷାକୁ କରିଛନ୍ତି ଜୀବନର ବ୍ରତ

ତେବେ ତାଙ୍କୁ ଜାତୀୟ ଶିକ୍ଷା ପୁରସ୍କାର ଆଗାମୀ ଦିନରେ ଶିକ୍ଷାଦାନ କ୍ଷେତ୍ରରେ ଆହୁରି ପ୍ରେରଣା ଓ ଉତ୍ସାହିତ କରିବ ବୋଲି ଈଶ୍ବର କହିଛନ୍ତି । ସବୁଠୁ ବଡ କଥା ହେଉଛି ଈଶ୍ବର ଜଣେ ଇଞ୍ଜିନିୟର । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ହ୍ୟାଣ୍ଡ ଲୁମ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରି ଜଣେ ସଫଳ ଇଞ୍ଜିନିୟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଈଶ୍ବର । ତେବେ ଚାକିରି କରିବାର 8 ବର୍ଷ ପରେ ସେ ମୋଟା ଅଙ୍କର ଦରମା ପାଇ ଥିବା ଚାକିରି ଛାଡି 2001 ରେ ରାଜ୍ୟ ଶିକ୍ଷା ବିଭାଗରେ ମାତ୍ର 1500 ଟଙ୍କାରେ ଶିକ୍ଷକତା ଆରମ୍ଭ କରିଥିଲେ।

ଇଞ୍ଜିନିୟର ଚାକିରି ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ ନ କରିବାକୁ ସେ ଚାକିରି ଛାଡ଼ି ସ୍ୱଳ୍ପ ବେତନରେ ଶିକ୍ଷକତା ଆରମ୍ଭ କରିଥିଲେ । ଦେଶ ତଥା ସମାଜ ଗଠନରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ତାଙ୍କୁ ବେଶ ଆନନ୍ଦ ଓ ଶାନ୍ତି ମିଳୁଥିବା କହିଛନ୍ତି ଈଶ୍ବର । "ଏହା ନିଶ୍ଚିତ ମୋ ପାଇଁ ଗୌରବର ବିଷୟ । ଏହା ମୋର ବ୍ରତ । ଆଗକୁ ଏପରି କାର୍ଯ୍ୟ ଜାରି ରଖିବି । ତେବେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠୁ ଏହି ପୁରସ୍କାର ଗ୍ରହଣ କରିବା ଏକ ପ୍ରକାର ସଂଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ନିହାତି ମୋ ପାଇଁ ଓ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବର ବିଷୟ ।"

ସେପଟେ ଓଡ଼ିଆ ଝିଅ ତଥା ପ୍ରଥମ ଓଡିଆ ରାଷ୍ଟ୍ରପତିଙ୍କ ଠାରୁ ଈଶ୍ବର ଜାତୀୟ ପୁରସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ପରେ ଈଶ୍ବର ଗ୍ରାମ ଏବଂ ତାଙ୍କ ଶୁଭେଚ୍ଛୁ ଛାତ୍ରଛାତ୍ରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଈଶ୍ବରଙ୍କ ଛାତ୍ର ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, "ସାର୍‌ଙ୍କ ପାଖରେ ମୁଁ ୪ବର୍ଷ ପାଠ ପଢିଛି । ସେ ଗଣିତ ଓ ବିଜ୍ଞାନ ପଢାଉଥିବାବେଳେ, ଏହାକୁ ଅତି ସରଳତାର ସହିତ ଆମକୁ ବୁଝାଇପାରନ୍ତି । ସେ ଜାତୀୟ ପୁରସ୍କାର ପାଇବାକୁ ଯାଉଥିବାରୁ ଏହା ଆମକୁ ନିଶ୍ଚୟ ପ୍ରେରଣା ଯୋଗାଇବ ।"

ଈଶ୍ଵର ପୂର୍ବରୁ ଅନେକ ଜାତୀୟ ଏବଂ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ତାଙ୍କ ଲିଖିତ ପୁସ୍ତକ 'ଅଳିଆରୁ ଅ ଆ 'ଜାତୀୟ ପୁରସ୍କାର ପାଇଁ ନେଇ ଲୋକାଦୃତ ହୋଇଛି । 2016 ସେ ରାଜ୍ୟ ଶିକ୍ଷକ ପୁରସ୍କାରର ଅଧିକାରୀ ହୋଇଥିଲେ । ଈଶ୍ବର ଶିକ୍ଷକତା ସହ ସମାଜ ସେବା, ବିଭିନ୍ନ ପୁସ୍ତକ ଲେଖିବାରେ ବ୍ୟସ୍ତ ଅଛନ୍ତି । 18ରୁ ଅଧିକ ପୁସ୍ତକ ଓ ଶତାଧିକ ନିବନ୍ଧ ସେ ଲେଖିଛନ୍ତି । ନିଜ ଗ୍ରାମ ପିଲାଙ୍କୁ ମାଗଣା କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details