ପୁରୀ:ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ଧରା ଉପରେ ଲାଗିଲା କଟକଣା । ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା। ଆଜିଠାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି କଟକଣା ଲାଗୁ ହୋଇଛି। କଟକଣାକୁ ଉଲ୍ଲଂଘନ କଲେ ଡ଼ଙ୍ଗା ଓ ଟ୍ରଲର ଜବତ ସହ ଜୋରିମାନାର ବ୍ୟବସ୍ଥା କରାଯାଇଛି ।
ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ପାଇଁ ରାଜ୍ୟର ଋଷିକୂଲ୍ୟା, ଦେବୀନଦୀ ମୁହାଣକୁ ଆସିଥାନ୍ତି । ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡ଼ଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ସେମାନେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି। ଏହାସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ। ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ। ତେବେ ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି। ଦେବୀନଦୀ ମୁହାଣ ଠାରୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ର ଠାରୁ ୫ କିମି ପରଧି ମଧ୍ୟରେ ମାଛ ଧରାକୁ ସଂପୂର୍ଣ୍ଣ ବ୍ୟାନ୍ କରାଯାଇଛି। ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପେଟ୍ରୋଲିଂ କରାଯିବ। ମାଛଧରା କଟକଣାକୁ ଉଲ୍ଲଘଂନ କଲେ ଜୋରିମାନା, ଜେଲଦଣ୍ତ ସହ ଟ୍ରଲର ଓ ଡ଼ଙ୍ଗା ଜବତ କରାଯିବ ।