ଓଡିଶା

odisha

ETV Bharat / city

ନୀଳାଚଳେ ଜଗନ୍ନାଥ: ଶ୍ରୀଜୀଉଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ

ପ୍ରଭୁ ଅଲାରନାଥ ମନ୍ଦିର ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ଏକ ମନ୍ଦିର । ଏହି ମନ୍ଦିରର ତଥ୍ୟ ଓ ତତ୍ତ୍ବରେ ପୁରାଣ, ଇତିହାସ, କିମ୍ବଦନ୍ତୀ ସମୂହରୁ ସ୍ପଷ୍ଟ ହୁଏ ଯେ, ପ୍ରଭୁ ଅଲାରନାଥଙ୍କ ମହିମା, ମହାତ୍ମ୍ୟ ଓ ମହତ୍ତ୍ବ , ରହସ୍ୟମୟ । ଭକ୍ତବତ୍ସଳ ଭଗବାନଙ୍କ ଭକ୍ତ ପାଇଁ ଲୀଳାଖେଳାର ଅପୂର୍ବ ନିଦର୍ଶନ ପ୍ରଦାନ କରେ ଅଲାରନାଥ ମନ୍ଦିର ।

By

Published : Jun 16, 2020, 8:34 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ପୁରୀ: ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠ ବେଶ ପ୍ରସିଦ୍ଧ। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଅଣସର ସମୟରେ ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ବିଶ୍ୱାସ ରହିଛି ଅଣବସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ସମାନ ଫଳ ମିଳିଥାଏ। ତେବେ ପ୍ରଭୁ ଅଲାରନାଥ କୀଭଳି ଆବିଭାର୍ବ ହେଲେ ତାହା ଅନେକ ଭକ୍ତଙ୍କୁ ଏବେ ମଧ୍ୟ ଅଜଣା । ତେବେ ଏ ନେଇ ରହିଛି ଏକ ସୁନ୍ଦର ଇତିହାସ ତଥା ଭକ୍ତ ଏବଂ ଭଗବାନ ଙ୍କ ମଧ୍ୟରେ ରେ ନିବିଡ ସମ୍ପର୍କ କଥା।

ଶ୍ରୀଜୀଉଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ କହିବା କଥା ପ୍ରାଚୀନ କାଳରେ ଅଲବର ସମ୍ପ୍ରଦାୟର ଜଣେ ସାଧୁ ଆଲବନ୍ଦାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ । କିନ୍ତୁ ମହାପ୍ରଭୁ ସେତେବେଳେ ଅନବସରରେ ରହିଥିଲେ। ଏତେ ଦୂରରୁ ଆସି ମହାପ୍ରଭୁଙ୍କ ଦର୍ଶନ ନପାଇ ଆଲବନ୍ଦାଚାର୍ଯ୍ୟ ମ୍ରିୟମାଣ ହୋଇ ସମୁଦ୍ର କୂଳରେ ଚାଲି ଚାଲି ଶେଷରେ ସମୁଦ୍ରରେ ଜୀବନ ହାରିବାକୁ ଯାଇଥିଲେ। ଭକ୍ତର କଷ୍ଟକୁ ସହି ନପାରି ସ୍ୱୟଂ ମହାପ୍ରଭୁ ତାଙ୍କ ଆଗରେ ପ୍ରକଟ ହୋଇ ଦର୍ଶନ ଦେଇଥିଲେ। ତେବେ ଅନ୍ୟ ଭକ୍ତ ମାନେ ଯେଭଳି ତାଙ୍କ ଭଳି ଅନବସର ସମୟରେ ଦର୍ଶନ ପାଆନ୍ତୁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଯେଉଁ ଜାଗାରେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେଇଛନ୍ତି ସେହି ଜାଗାରେ ପ୍ରଭୁ ଅଧିଷ୍ଠିତ ହୋଇ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ ବୋଲି କହିଥିଲେ। ଭକ୍ତର ମନୋକାମନା ପୂର୍ଣ୍ଣ କରି ମହାପ୍ରଭୁ ସେହି ସ୍ଥାନରେ ବିରାଜମାନ କରିଥିଲେ। ତେବେ ଭକ୍ତ ଆଲବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ପ୍ରଭୁ ଅଲାରନାଥ ନାମରେ ସେଠି ପୂଜିତ ହେଉଛନ୍ତି ।


ସେହିପରି ଆଉ ଏକ ସୁନ୍ଦର କାହାଣୀ ରହିଛି ଅଲାର ନାଥଙ୍କୁ ନେଇ । ବଙ୍ଗ ପ୍ରଦେଶ ଶ୍ରୀଚୈତନ୍ୟ 1510 ରେ ମହାପ୍ରଭୁ ଦର୍ଶନ ପାଇଁ ଆସିଥିଲେ। ତେବେ ମହାପ୍ରଭୁଙ୍କ ଅଣସର ଚାଲି ଥିବାରୁ ଶ୍ରୀଚୈତନ୍ୟ ଦୁଃଖିତ ହୋଇ ଥିଲେ ମହାପ୍ରଭୁଙ୍କ ଦର୍ଶନ ନପାଇ। ତେବେ ତାଙ୍କୁ ମହାପ୍ରଭୁ ସ୍ୱପ୍ନାଦେଶ ଦେଇ କହିଥିଲେ ଅଲାର ନାଥଙ୍କୁ ଦର୍ଶନ ପାଇଁ। ଶ୍ରୀଚୈତନ୍ୟ ଅଲାରନାଥଙ୍କୁ ଦେଖି ଏତେ ଭକ୍ତି ବିଭୋର ହୋଇ ଯାଇଥିଲେ ସେ ଏକ ପଥର ଉପରେ ବସି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିବାବେଳେ ତାଙ୍କର ଭକ୍ତି ଓ ଅଶ୍ରୁରେ ଉକ୍ତ ପଥର ତରଳି ଯାଇଥିଲା। ଯାହାକି ଆଜିବି ପ୍ରଭୁ ଅଲାରନାଥ ଙ୍କ ମନ୍ଦିର ଭିତରେ ଦେଖିବାକୁ ମିଳେ।

କେବଳ ଏତକି ନୁହେଁ ପ୍ରଭୁ ଅଲାରନାଥଙ୍କ ମାନବୀୟ ଲୀଳା ବେଶ ଚର୍ଚ୍ଚିତ। ମହାପ୍ରଭୁଙ୍କ ସେବକଙ୍କ କହିବା କଥା ପ୍ରଭୁ ଅଲାରନାଥଙ୍କ ପୂଜକଙ୍କ ପୁଅ ଦିନେ ଗରମ ଖିରି ପ୍ରଭୁଙ୍କୁ ଭୋଗ ଭାବେ ଖାଇବାକୁ କହିଥିଲେ। ଅଜ୍ଞାନ ବାଳକଟିର ଅନୁରୋଧକୁ ରକ୍ଷା କରି ପ୍ରଭୁ ଗରମ ଖିରି ଖାଇଥିଲେ। ଫଳରେ ପ୍ରଭୁ ଅଲାରନାଥଙ୍କ ହାତ ଶରୀର ଗରମ ଖିରି ପଡି ପୋଡି ଯାଇଥିଲା । ଯାହାକି ଆଜିବି ପ୍ରଭୁଙ୍କ ଶରୀରରେ ରହିଛି। ସେହିପରି ଏହି ସ୍ଥାନରେ ସ୍ୱର୍ଗରୁ ବ୍ରହ୍ମା ଅବତରଣ କରିଥିବା ହେତୁ ଅଞ୍ଚଳଟିର ନାମ ବ୍ରହ୍ମଗିରି ରହିଥିବା କୁହାଯାଏ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ




ABOUT THE AUTHOR

...view details