ପୁରୀ: ରଥ ଉତ୍ସବରେ ବରଷକେ ଥରେ ବଡ ଦାଣ୍ଡ ପାଲଟିଯାଏ ଜଗନ୍ନାଥମୟ, ରଥ ପଥ ହୋଇଯାଆନ୍ତି ଏକାକାର, ଏକୀଭୂତ । ରଥ ଉପରେ ବିରଜିତ ଦାରୁବ୍ରହ୍ମଙ୍କ ଦର୍ଶନ ସହ ରଥ ଟାଣିବା ପାଇଁ ଭକ୍ତଙ୍କ ମନରେ ଥାଏ ଅପାର ଆନନ୍ଦ, ଅସୀମ ଆହ୍ଲାଦ । ଭକ୍ତ କହୁଥାଏ ଏ ରଥ ଦଉଡି ଦେଲେ ଛୁଇଁ ମୋର ସବୁ ପାପ ଯିବ ଉଭେଇ । ଯେଉଁପରି ଏ କ୍ଷେତ୍ର ଏ ଯାତ୍ରା ଅତୀବ ରହସ୍ୟାଚ୍ଛନ୍ନ , ସେହିପରି ଏ ରଥ ଦଉଡିର ତତ୍ତ୍ବ ଓ ତଥ୍ୟ ଅଲୌକିକ ଓ ଶୀହରିତ....
ରଥ ସର୍ବଧର୍ମ, ସର୍ବସଂସ୍କୃତି, ସର୍ବତତ୍ତ୍ବ, ସର୍ବଜୀବଜଗତ , ସର୍ବଦେବାଦେବୀଙ୍କୁ ଧାରଣ କରି ରଖିଥାଏ । ଯେଉଁ ରଥ ରଜ୍ଜୁ ହାତରେ ଟାଣିଲେ ମନୁଷ୍ୟର ସର୍ବପାପ କ୍ଷୟ ହୋଇଯାଏ । ବାସ୍ତବରେ ସେ ରଜ୍ଜୁ କୌଣସି ସାଧାରଣ ରଜ୍ଜୁ ହୋଇନଥାଏ । ପୁରାଣ ଅନୁସାରେ ତିନି ରଥ ଦଉଡି ହେଉଛନ୍ତି, ଏକ ନାଗ ଓ ଦ୍ବୟ ନାଗୁଣୀ । ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ରଜ୍ଜୁ ଶଙ୍ଖଚୂଡ ନାଗୁଣୀ, ସେହିପରି ମା'ତା ଶକ୍ତିସ୍ବରୁପିଣୀ ସୁଭଦ୍ରାଙ୍କ ରଥ ରଜ୍ଜୁ ସ୍ଵର୍ଣଚୂଡ ନାଗୁଣୀ ଓ ବଡ ଠାକୁର ବଳଭଦ୍ରଙ୍କ ରଥ ରଜ୍ଜୁ ନାଗରାଜ ବାସୁକୀ ଅଟନ୍ତି ।