ପୁରୀ: ହୋ ଭଗତେ ହୋ..ଡାହୁକ ଗାଉଛି ଗୀତ,ବଡଦାଣ୍ଡେ ଗଡେ କାଳିଆ ରଥ, ଚାଲ ଦେଖିଯିବା ସହି ସଙ୍ଗାତ...ଡାହୁକ ଡାକିଲେ ରଥ ଗଡେ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରଥଟଣାରେ ଡାହୁକ ଡାକ ଆବାହମାନ କାଳରୁ ଚଳିଆସୁଅଛି । ପୂର୍ବେ ରଥ ଉପରେ ଶୃଙ୍ଗାର ରସ ସିକ୍ତ ତଥା, କାମକଳା ରହସ୍ୟ ଛନ୍ଦ ଯୁକ୍ତ ଗୀତ ବୋଲାଯାଉଥିଲା । ମାତ୍ର ଏବେ ରଥ ଟଣା ସମୟରେ ଡାହୁକ ବୋଲି ରହିଛି ହେଲେ ଭାଷାରେ ଆସିଛି ପରିବର୍ତ୍ତନ । ଗୀତ ଛନ୍ଦରେ, ଭାବଉଦ୍ଦୀପକ ବୋଲିରେ ରଥ ଚାଳନା କରିଥାନ୍ତି ଡାହୁକ ସେବକ ।
ରଥର ଚଳନ୍ତି ସାରଥି ହେଉଛନ୍ତି ରଥ ବାହୁକ ବା ଡାହୁକ । ରଥ ଚାଲିବା ପୂର୍ବରୁ ରଥ ଉପରେ ବେତ ହଲାଇ ଚିତାକର୍ଷକ ଗୀତ ଗାଇଥାନ୍ତି । ସେହି ଗୀତଶୁଣି ଅଗଣିତ ଜନସମୁଦ୍ରମନରେ ଅପୂର୍ବ ଶିହରଣ ଖେଳିଯାଏ । ଗୀତ ବୋଲା ସରିଲେ ଭେରୀ, ତୁରୀ, କାହାଳୀ, ଘଣ୍ଟ ମର୍ଦ୍ଦଳ, ଖୋଳ, କରତାଳ ଝାଞ୍ଜ, ମୃଦଙ୍ଗ ହରିବୋଲ, ହୁଳହୁଳିରେ ଘର୍ଘର ନାଦ କରି ରଥ ଗଡେ, ଉତ୍କଳୀୟ ମଉଡମଣିଙ୍କ ରଥ ତ୍ରୟକୁ ଆନନ୍ଦମନରେ ରଥ ଟାଣି ନିଅନ୍ତି ଅଗଣିତ ଭକ୍ତଗଣ ।
ନେତ୍ରୋତ୍ସବ ଦିନ ମହାଖଳାଠାରୁ ସିଂହଦ୍ବାରକୁ ରଥ ଆଣିଲା ବେଳେ ଶ୍ରୀଗୁଣ୍ଡିଚା, ବାହୁଡା ବେଳେ ରଥଟଣାରେ ଓ ରଥ ଦକ୍ଷିଣମୋଡରେ ଏହି ସେବକମାନେ ଗୀତ ଗାଇଥାନ୍ତି । ଭକ୍ତଙ୍କ ଚିତ୍ତାକର୍ଷଣ କରିଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ-୧୦୪ରେ ସ୍ଥାନିତ 'ରଥ ଡାହୁକ' ରଥଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ସେବା । ଏମାନେ ଶାଢିବନ୍ଧା ସେବକ ନୁହଁନ୍ତି । ସେବା ପୁରୁଷାନୁକ୍ରମିକ । ଏହି ସେବା ନିମନ୍ତେ ମହାରାଜାଙ୍କ ଠାରୁ ପାଇଛନ୍ତି ଜାଗିରି ।