ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ଓ ଉତ୍ସବ ମୁଖର । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ | ମଧ୍ୟାହ୍ନ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ବିଭିନ୍ନ ମହାବୀରଙ୍କ ମନ୍ଦିରକୁ ବିଜେ କରାଯାଇଥାଏ | ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଚାରିଦ୍ବାରରେ ମହାବୀରଙ୍କ ବ୍ୟତୀତ ଜଗନ୍ନାଥ ବଲ୍ଲଭ ଓ ଦରିଆ ମହାବୀରଙ୍କ ନିକଟକୁ ମଧ୍ୟ ଆଜ୍ଞାମାଳ ବିଜେ ହୋଇଥାଏ |
ବିଶ୍ବାସ ରହିଛି ଆଜି ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ଦୁଖକଷ୍ଟ ଦୂର ହୁଏ । ଏଥିପାଇଁ ସକାଳୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ଥିବା ପ୍ରଭୁ ହନୁମାନ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ଏହାଛଡା ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନର ପରମ୍ପରା ରହିଛି । ଏଣୁ ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର ।
ଉତ୍କଳୀୟ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ଥିବା ଜାଗା, ଆଖଡ଼ା ମାନଙ୍କରେ ଆଜିର ଦିନରେ କୁସ୍ତି କସରତ ସହିତ ରଣକୌଶଳ ଶିକ୍ଷାର ଶୁଭାରମ୍ଭ କରାଯାଇଥାଏ | ସକାଳୁ ସକାଳୁ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା କରି ସାହିର ଯୁବକମାନେ ନୂଆ କୌପୁନି ପରିଧାନ କରି ମାଟି କୁସ୍ତି ବିଦ୍ୟା ଶିଖିଥାନ୍ତି |