ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ତେବେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ଓ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସୁବନ୍ଦୋବସ୍ତ ନେଇ ପୁରୀ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି ।
ସୂଚନା ଅନୁଯାୟୀ, ନୂଆବର୍ଷ ପାଇଁ ପୁରୀରେ ଶ୍ରୀମନ୍ଦିର ଓ ଭକ୍ତ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୋଟ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। 8 ସହ କନେଷ୍ଟବଳ , ହୋମ ଗାର୍ଡ ମଧ୍ୟ ରହିଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ସୁପରିଚଳନା ନେଇ 10 ଜଣ ଅତିରିକ୍ତ ଏସପି, 25 ଜଣ ଡିଏସପି, 260 ଜଣ ଇନ୍ସପେକ୍ଟର,ଏଏସଆଇ ରହିଛନ୍ତି।
ତେବେ ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମାର୍କେଟ ଛକରୁ ବଡ଼ ଦାଣ୍ଡକୁ ତିନି ଭାଗରେ ବିଭକ୍ତ କରାଯାଇଛି। ବଡ଼ ଦାଣ୍ଡ ମଝିରେ ଭକ୍ତଙ୍କ ପାଇଁ ବ୍ୟାରିକେଡ କରାଯାଇଛି । ଫଳରେ ଭକ୍ତ ମାନେ ବ୍ୟାରିକେଡରେ ପାଦରେ ଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ପାରିବେ। ଏପଟେ ବ୍ୟାରିକେଡର ବାମପଟେ କେଵଳ ଜରୁରୀକାଳୀନ ବ୍ୟବସ୍ଥା ଯଥା ପୋଲିସ ଗାଡି , ଅଗ୍ନିଶମ ଗାଡି ଓ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ସହାୟତା ଗାଡି ଚଳାଚଳ କରିବା ନେଇ ବ୍ୟବସ୍ଥା ହୋଇଛି। ମାର୍କେଟ ଛକରୁ ସମସ୍ତ ଗାଡି ଚଳାଚଳ ମନ୍ଦିର ଦିଗକୁ ନିଷିଦ୍ଧ କରାଯାଇଛି। ମାର୍କେଟ ଛକ ପୌରପାଳିକା ମାର୍କେଟ କମ୍ପ୍ଲେକ୍ସର ଉଚ୍ଛେଦ ଜାଗାରେ ଦୁଇ ଚକିଆ ଗାଡି ପାର୍କିଂ କରାଯାଉଛି ।