ପୁରୀ: 'ନେତପିଲା' ପୁରୀ ସେବାୟତ ସମ୍ପ୍ରଦାୟର ଏକ ବିଶେଷ ପର୍ବ । ଶହ ଶହ ବର୍ଷର ପୁରୁଣା ଏହି ପର୍ବ । 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ପାଳନ ହୋଇଆସୁଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ, ମା ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିଥିଲେ । ସେଥିପାଇଁ ଶିବଙ୍କ ଭଳି ବର ପ୍ରାପ୍ତି ଉଦ୍ଦେଶ୍ୟରେ ସେବାୟତ କୂଳର କନ୍ୟାମାନେ ହରପାର୍ବତୀଙ୍କୁ ଏହି ପୂଜା କରିଥାନ୍ତି ।
ଆଶ୍ବିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। ପରମ୍ପରା ଅନୁଯାୟୀ, ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେବାୟତ ପରିବାରର କନ୍ୟାମାନେ ୨୧ଦିନ ଧରି ବଳି ପୂଜା କରିଥାନ୍ତି । ଏହି ୨୧ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲାମାନେ । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ ।