ପୁରୀ: ଅବହେଳିତ ଅବସ୍ଥାରେ ମହାପ୍ରଭୁଙ୍କ ବିଜେସ୍ଥଳୀ ପୁରୀର ଦୋଳମଣ୍ତପ ସାହି ସ୍ଥିତ ନାରାୟଣୀ ମନ୍ଦିର। ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳି ମନ୍ଦିର ଭିତର ଜଳାର୍ଣ୍ଣବ ହେଉଥିବାବେଳେ ଅତ୍ୟଧିକ ବର୍ଷା ହେଲେ ନର୍ଦ୍ଦମା ପାଣି ମଧ୍ୟ ସିଧାସଳଖ ପଶୁଛି ମନ୍ଦିର ଭିତରେ । ମହାପ୍ରଭୁଙ୍କ ଶାକ୍ତ ଗୁଣ୍ତିଚା ନୀତି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀ ଏହି ପୀଠରେ ବିଜେ କରିବା ସହ ମହାପ୍ରଭୁ ଏଠାରେ ମାଧବ ରୂପରେ ଉପାସନା ପାଇଥାନ୍ତି । ଦୀର୍ଘ ୧୬ ଦିନ ଧରି ଏହି ଶାକ୍ତ ଗୁଣ୍ତିଚା ନୀତି ପାଳନ ହେବା ସହ ମୂଳାଷ୍ଟମୀ ପରଠାରୁ ଷୋଡଷ ଦିନାତ୍ମକ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ସହ ପ୍ରତ୍ୟକ୍ଷ ଜଡିତ ଥିବା ପୀଠର ମରାମତି ଓ ଉନ୍ନତିକରଣ ଦିଗରେ ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ନେଇ ସେବାୟତ ଓ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଦୋଳମଣ୍ତପ ସାହିରେ ଏହି ପୁରାତନ କିର୍ତ୍ତୀରାଜି ତଥା ପ୍ରସିଦ୍ଧ ନାରାୟଣୀ ମନ୍ଦିରର ନିକଟବର୍ତ୍ତୀ ରାସ୍ତାର ଉଚ୍ଚତା ମନ୍ଦିର ପତନ ଠାରୁ ଊର୍ଦ୍ଧ୍ବରେ ଥିବା ଯୋଗୁଁ ମନ୍ଦିର ଭିତରେ ନର୍ଦ୍ଦମା ପାଣି ପଶୁଛି । ସେହିପରି ମନ୍ଦିର ଆଗରେ ଛାତଟିଏ ନଥିବାରୁ ବର୍ଷା ପାଣି ସିଧାସଳଖ ମନ୍ଦିର ଭିତରେ ପଶୁଛି । ତେବେ ଦୁଃଖର ବିଷୟ ଭକ୍ତ ତଥା ପର୍ଯ୍ୟଟକଙ୍କ ନଜରକୁ ଆସିବାକୁ ଏହି ମନ୍ଦିର ବାହାରେ ଗୋଟେ ସାଇନବୋର୍ଡ ମଧ୍ୟ ଲଗାଇ ନାହିଁ ପ୍ରଶାସନ। ମରାମତି ଅଭାବରୁ ମନ୍ଦିରର ଛାତ ଦୁର୍ବଳ ଅବସ୍ଥାରେ ଥିବାବେଳେ କେତେବେଳେ ଯେ ଏହା ଭୁଷୁଡିବା ଫଳରେ ସେବାୟତ ଓ ଭକ୍ତଙ୍କ ଜୀବନହାନି ହେବ ତାହା ମଧ୍ୟ କହିହେବ ନାହିଁ।